ଓଡିଶାକୁ ଡରାଇଲାଣି ବାତ୍ୟା, ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି କଲେଣି ନବୀନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଓଡିଶାକୁ ଘାରିଛି ବାତ୍ୟା ଭୟ । ଏଥିପାଇଁ ସମସ୍ତଙ୍କ ମନରେ ଛନକା ପଶିଲାଣି। ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ତେବେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି । ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ଏବେଠୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଜି ଏନେଇ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ କଣ କଣ ପ୍ରସ୍ତୁତି କରିଛନ୍ତି ସେ ନେଇ ସୂଚନା ଦେଇଛନ୍ତି ।ତାଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସମୀକ୍ଷା କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସାଧାରଣତଃ ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ କିମ୍ବା ମେ ମାସରେ ଆସିଥାଏ । ଯାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ । ତେବେ ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ।

ଏଥିପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ଏହି ଲଘୁଚାପ ସମ୍ପର୍କରେ ଟିକନିକ୍ ଖବର ରଖିବା ପାଇଁ ଗତକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସେବା ଆରମ୍ଭ ହୋଇଛି । ୨୪ ଘଣ୍ଟା ଅଫିସରମାନେ ଏହି କଣ୍ଟୋଲ ରୁମରେ ରହିବା ସହିତ ପ୍ରତିଟି ସୂଚନା ରଖିବେ । ତା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକସ୍ଥଳରେ ସ୍କୁଲ ଗୃହକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ସେପଟେ ପ୍ରତି ବିଭାଗ ନିଜର ପ୍ରସ୍ତୁତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଜରୁରୀକାଳୀନ ସ୍ଥିତି ପାଇଁ କଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେଇଛନ୍ତି । କୌଣସି ଅସୁବିଧା ରହିଲେ ଏସଆରସିଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ଅପିଲ କରାଯାଇଛି । ବାତ୍ୟାକୁ କିଭଳି ସଠିକ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ବୈଠକ ହୋଇଥିଲା ।

Leave A Reply

Your email address will not be published.