ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଧାରାତିରେ ୫୦ ବର୍ଷୀୟା ରଞ୍ଜନା ମାର୍ଥାଙ୍କ ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ  ଭୁବନେଶ୍ବର ବଡଗଡ ଅଞ୍ଚଳରେ ବାସ କରୁଥିଲେ। ବ୍ରେନ୍ ଟ୍ୟୁମର ଭଳି ଅସାଧ୍ୟ ରୋଗ ଚିହ୍ନଟ ହେବାପରେ ମାନସିକ ସନ୍ତୁଳନ ହରାଇ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ ଓ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସନ୍ଧ୍ୟା ସମୟରେ ତାଙ୍କ ମୃତ୍ୟୁ ବିଷୟରେ ଜାଣି, ଅଞ୍ଚଳବାସୀ ମାନେ ଓଡ଼ିଶା-ମୋ ପରିବାର ର ହେଲ୍ପ ଲାଇନ୍ ନମ୍ବର ରେ ସହାୟତା ନିମନ୍ତେ ଯୋଗାଯୋଗ କରିଥିଲେ।

ଏହି ଦୁଃଖଦ ଖବର ପାଇ, ଓଡ଼ିଶା-ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଏହି ସବୁ ପ୍ରସ୍ତୁତି କାର୍ଯ୍ୟ ମଧ୍ୟରେ ଅଞ୍ଚଳବାସୀ ମାନେ, ରାତି ପ୍ରାୟ ୧୦ ଟା ବେଳେ ତାଙ୍କ ପୁଅ ଓ ବୋହୂ ଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ଏବଂ ମା ଙ୍କ ଅକାଳ ବିୟୋଗ ସମ୍ବନ୍ଧରେ ଖବର ପହଞ୍ଚାଇ ଥିଲେ। ଖବର ପାଇ ପୁଅ ଓ ବୋହୂ ସେହି ମଧ୍ୟରାତ୍ର ରେ ହିଁ ତାଙ୍କ ଶେଷକୃତ୍ୟ କରିବାକୁ ଇଛା ପ୍ରକାଶ କରିଥିଲେ । ଏହାପରେ, ଶ୍ରୀ ସାମନ୍ତରାୟ ଙ୍କ ସଂଯୋଜନାରେ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ, ରାତି ପ୍ରାୟ ୧ଟା ରେ ତାଙ୍କ ମୃତ ଶରୀରକୁ ବଡଗଡରୁ ଶ୍ମଶାନ ସ୍ଥାନାନ୍ତର କରାଯାଇଥିଲା। ଓଡ଼ିଶା-ମୋ ପରିବାର ର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର କୁ ସାନ୍ତ୍ଵନା ଦେଇଥିଲେ।

Leave A Reply

Your email address will not be published.