ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଉତ୍ସବ ଓଡ଼ିଶା’ ଉଦଯାପିତ, ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ କରିବାକୁ ପରାମର୍ଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା। ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ରାଜ୍ୟ ବିକାଶ ପଥରେ ଆଗକୁ ବଢୁଥିବାରୁ ପ୍ରତ୍ୟେକ ଓଡିଆ ଏହାର ଐତିହ୍ୟ ପାଇଁ ଗର୍ବ ଅନୁଭବ କରିବ। ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ା ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଉଦଯାପିତ ହୋଇଯାଇଛି। ବାଣୀବିହାର ଏମକେସିଜି ଅଡିଟୋରିଅମରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୌରହିତ୍ୟ କରି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ସମନ୍ବୟାତ୍ମକ ସଂାସ୍କୃତିକ ଧାରା, ମାନବିକ ମୂଲ୍ୟବୋଧ ଓ ବୌଦ୍ଧିକ ବିଚାରଧାରା ଦିବ୍ୟ ଜୀବନଯାପନର ସନ୍ଦେଶ ପ୍ରଦାନ ପୂର୍ବକ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରା ସାରା ବିଶ୍ବରେ ବିଦିତ। ବିଶ୍ବର ସବୁ ଲୋକ ଓଡ଼ିଶାର ଐତିହ୍ୟ ସମ୍ପର୍କରେ ଅବଗତ ହୁଅନ୍ତୁ। ଓଡିଶାର ସାଂସ୍କୃତିକ ଐତିହ୍ୟ ଏବଂ ସମୃଦ୍ଧତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ବିବିଧତା ମଧ୍ୟରେ ଏକତା ସୃଷ୍ଟି କରି ଦଳଗତ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ଗୁଜୁରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଏସ୍. କେ. ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଇତିହାସର ପୃଷ୍ଠଭୂମି, ଭାରତର ଜାତୀୟ ଜୀବନ ଏବଂ ସଂହତି ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱ କେବଳ ଅର୍ଥନୈତିକ ମାଧ୍ୟମ ସହିତ ସଂଯୁକ୍ତ ନୁହେଁ, ଏହା ମାନବିକ ମୂଲ୍ୟବୋଧ ଉପରେ ସଂଯୁକ୍ତ ହୋଇପାରିବ। ପାରିବାରିକ ଗଠନରୁ ଆରମ୍ଭ ହେଉଥିବା ଏକତାର ସଂକଳ୍ପ ଉପରେ ଓଡିଶାର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। କୁଳସଚିବ ଡ.ଅଭୟ କୁମାର ନାୟକ ଉତ୍କଳ ସଂସ୍କୃତି ଓ ପରମ୍ପାର ସାଙ୍ଗକୁ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଇଏମଏସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ କହିଥିଲେ ଯେ ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିବର୍ଷ ‘ଉତ୍ସବ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ ଆମ ଓଡ଼ିଶା ସଚିବ ସ୍ବରାଜ ମଶ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ଗଠନ ପାଇଁ ସାମୂହିକ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ଛାତ୍ର କଲ୍ୟାଣ ନିର୍ଦେଶିକା ପ୍ରଫେସର ମିତାଲି ଚିନାରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ସହିତ ରଙ୍ଗୋଲି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.