ସେଦିନର ଅଗଷ୍ଟ ୯, ବ୍ରିଟିଶ ବିରୋଧରେ ‘ଭାରତ ଛାଡ ଆନ୍ଦୋଳନ’ ଡାକରା ଦେଇଥିଲେ ବାପୁ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ): ୧୯୪୨ ମସିହା ଅଗଷ୍ଟ ୯ ତାରିଖ ବ୍ରିଟିଶମୁକ୍ତ କରିବାକୁ ଭାରତ ଛାଡ଼ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ବ୍ରିଟିଶ ଶାସନ ବିରୁଦ୍ଧରେ ଜୀବନର ଶେଷ ନିଶ୍ୱାସ ପର୍ୟ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଶିବାଜୀ ପାର୍କ (ଏବେକାର କ୍ରାନ୍ତୀ ମୈଦାନ)ରେ ବ୍ରିଟିଶ ଶାସନ ବିରୁଦ୍ଧରେ ଶପଥ ନେଇଥିଲେ ସଂଗ୍ରାମୀ । ସ୍ଲୋଗାନ ଥିଲା “କର ବା ମର’ । ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଆରମ୍ଭ କରିଥିଲେ ଲଢ଼େଇ । ବ୍ରିଟିଶମାନେ ପରବର୍ତ୍ତି ସମୟରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲେ। ୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ବଦଳରେ ଇଂରେଜ ମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ କଥାରୁ ଓହରି ଯାଇଥିଲେ। ଯାହା ଫଳରେ ଇଂରେଜଙ୍କ ଠାରୁ ସ୍ୱାଧୀନତା ଛଡ଼ାଇ ଆଣିବା ଲାଗି ସେତେବେଳେ ଗାନ୍ଧିଜୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ।

୧୯୪୨ ମସିହାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସମିତି ପକ୍ଷରୁ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା। ଏହାପରେ ଇଂରେଜମାନେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସର ବନ୍ଦୀ କରି ରଖିଥିଲେ। ଅବଶ୍ୟ ଗାନ୍ଧିଜୀ ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସମସ୍ତ ନେତା, ଅନ୍ୟ କ୍ରାନ୍ତିକାରୀ ଏବଂ ସଂଗ୍ରାମୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ହୋଇଥିଲା ସ୍ମରଣୀୟ ଦିନ।

ସ୍ୱାଧୀନତା ପରଠୁ ଏହି ଦିନକୁ ସାରାଦେଶ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରିଆସୁଛି। ସେହି ସମୟରେ ଇଂରେଜଙ୍କ କବଳରୁ ବର୍ତ୍ତି ଯାଇଥିବା ଜଣେ କ୍ରାନ୍ତିକାରୀ ଯୁବା ନେତ୍ରୀ ଅରୁଣା ଆସିଫ ଅଲ୍ଲୀ ୧୯୪୨ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗ୍ଵାଲିଆ ଟ୍ୟାଙ୍କ ମଇଦାନ ବା ବର୍ତ୍ତମାନର କ୍ରାନ୍ତି ମଇଦାନରେ ତ୍ରିରଙ୍ଗା ଉଡ଼ାଇ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ଏହି ଆନ୍ଦୋଳନ ଦୋହଲାଇ ଦେଇଥିଲା ବ୍ରିଟିଶ ସାମ୍ରାଜ୍ୟକୁ । ପରବର୍ତ୍ତୀ ସମୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣା କରିଥିଲା ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଯୋଗୁଁ ଅଣ୍ଟା ସଳଖି ପାରୁନଥିବା ଇଂରେଜ ମାନଙ୍କର ଅସ୍ତିତ୍ୱକୁ ଏହା ଏକ ପ୍ରକାର ଦୋହଲାଇ ଦେଇଥିଲା।
ଯାହାର ଫଳ ସରୂପ ୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସଫଳତା ମିଳିଥିଲା। ୧୯୪୭, ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସ୍ୱାଧୀନତାର ସ୍ବାଦ ଚାଖିଥିଲା। ପରାଧିନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ସଭିଏଁ ।

Leave A Reply

Your email address will not be published.