ସେପ୍ଟେମ୍ବର-୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ କଂଗ୍ରେସର “ମହଙ୍ଗାଇ ପର ହଲ୍ଲାବୋଲ”

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମୋଦି ସରକାରଙ୍କ ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ । ମହଙ୍ଗା ଏବଂ ବେକାରମୁକ୍ତ ଭାରତ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖାଇଥିଲେ ଆଜି ତାହା ପ୍ରତାରଣାରେ ପରିଣତ ହୋଇଛି । ମୋଦିଙ୍କ ସମୟରେ ଉତ୍କଟ ଦରଦାମ ବୃଦ୍ଧି ଅତୀତର ସମସ୍ତ ରେକର୍ଡ ଭାଙ୍ଗିବା ସହ ବେକାରୀ ସମସ୍ୟା ମଧ୍ୟ ଗତ ୪୫ ବର୍ଷର ରେକର୍ଡକୁ ଭାଙ୍ଗିଛି । ମୋଦି ସରକାରଙ୍କର ଏହି ଜନ ବିରୋଧି ଓ ଯୁବ ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ଡାଙ୍ଗି କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ମୋଦି ସରକାର ପ୍ରଥମକରି ଆରମ୍ଭ ହେଲା ସେତେବେଳେ ସିଲିଣ୍ଡର ପିଛା ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ବେଳେ ଏବେ ସିଲିଣ୍ଡର ପିଛା ୧୫୬ ପ୍ରତିଶତ ବୃଦ୍ଧିପାଇ ୧୦୫୩ ରୁ ୧୨୪୦ ଟଙ୍କାରେ ପଂହଚିଛି । ସେହିପରି ପେଟ୍ରୋଲ ଦର ୭୧ ଟଙ୍କା ଥିବାବେଳେ ଏବେ ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୯୫ ରୁ ୧୧୨ ଟଙ୍କାରେ ପହଂଚିଲାଣି । ଅନୁରପ ଭାବେ ଡିଜେଲ ଲିଟର ପିଛା ୨୦୧୪ ରେ ୫୫ ଟଙ୍କାଥିବା ବେଳେ ଏବେ ତାହା ୭୫ ପ୍ରତିଶତ ବୃଦ୍ଧି ପାଇ ୯୦ ରୁ ୧୦୦ ଟଙ୍କା ଛୁଇଁଲାଣି । ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ସୋରିଷ ତେଲ ଲିଟର ପ୍ରତି ୯୦ ଟଙ୍କାରୁ ୧୨୨ ପ୍ରତିଶତ ବୃଦ୍ଧି ପାଇଁ ୨୦୦ ଟଙ୍କା ହେଲାଣି । ସେହିପରି ଅଟା ୮୧ ପ୍ରତିଶତ ବୃଦ୍ଧି ପାଇ ୨୨ ଟଙ୍କାରୁ ୪୦ ଟଙ୍କାରେ ପହଂଚିଲାଣି । କ୍ଷୀର ମଧ୍ୟ ୭୧ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ୩୫ ଟଙ୍କାରୁ ୬୦ ଟଙ୍କାରେ ପହଂଚିଲାଣି । ୨୦୧୪ ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ନାହାନ୍ତି, ତାଙ୍କ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଓ ପ୍ରତାରଣା ଲୋକମାନଙ୍କ ଉପରେ ଜନ୍ତ୍ରଣାର ବୋଝ ଲଦିଦେଇଛି ।

ପ୍ରଧାନମନ୍ତ୍ରୀ ୨୦୧୯ ରେ ଦାମ୍ଭିକତାର ସହ ଘୋଷଣା କରିଥିଲେ ଯେ ଖାଦ୍ୟଶସ୍ୟ, ଦହି, ଲସି, ଲହୁଣି ଇତ୍ୟାଦିରେ ଅତ୍ୟାବଶକୀୟ ବସ୍ତୁ ଜିଏସଟି ପରିସର ବାହାରେ ରହିବ ହେଲେ ମାତ୍ର ତିନିବର୍ଷ ପରେ ୨୦୨୨ ମସିହାରେ ତାଙ୍କର ସମସ୍ତ ପ୍ରତିଶ୍ରୁତି ପ୍ରତାରଣା ପାଲଟିଲା । ଉପରୋକ୍ତ ଅତ୍ୟାବଶକୀୟ ସାମଗ୍ରୀ ଉପରେ ମୋଦି ସରକାର ଅତ୍ୟନ୍ତ ଅମାନବୀୟ ଭାବେ ଜିଏସଟି ଲାଗୁ କଲେ । ୨୦୧୯ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଭୋଟ ହାତେଇବା ପାଇଁ ଉଜ୍ଜଳା ଯୋଜନାର ଖୁବ ପ୍ରଚାର କରିଥିଲେ । ହେଲେ ନିର୍ବାଚନ ସରିବା ପରେ ଅତ୍ୟନ୍ତ ସମ୍ବେଦନହୀନ ଭାବେ ରନ୍ଧନ ଗ୍ୟାସ ଉପରୁ ସବସିଡ୍ ପ୍ରତ୍ୟାହାର କରିନେଲେ ।

ମୋଦି ସରକାରଙ୍କ ଏହି ଜନବିରୋଧି ନିଷ୍ପତି ଫଳରେ ରନ୍ଧନ ଗ୍ୟାସ ଦର ଦୁଇଗୁଣରୁ ଅଧିକ ହେଲା । ଫଳରେ କୋଟି କୋଟି ଉପଭୋକ୍ତା ଆଜି ନିଜ ଖାଲି ସିଲିଣ୍ଡର ଭର୍ତି କରିବାକୁ ସମର୍ଥ ନୁହଁନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ କ୍ଷମତାକୁ ଆସିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜନସାଧାରଣଙ୍କୁ ଲଗାତାର କରିଚାଲିଥିବା ବିଶ୍ୱାସଘାତ ମଧ୍ୟରୁ ଅତ୍ୟାବଶକୀୟ ସାମଗ୍ରୀ ଓ ଗ୍ୟାସର ଦରବୃଦ୍ଧି ଦୁଇଟି ଉଦାହରଣ ମାତ୍ର । ଏପରି କରି ମୋଦି ଜନସାଧାରଣଙ୍କୁ “ ଡୁବ ମରୋ” ନୀତିର ପ୍ରମାଣ ଦେବା ସହ ଲୋକଙ୍କ ପିଠିରେ ଛୁରି ମାରିଛନ୍ତି ବୋଲି ଶ୍ରୀ ଡାଙ୍ଗି ଅଭିଯୋଗ କରିଛନ୍ତି ।
ଉପା ଓ ଏନଡିଏ ସରକାର ସମୟରେ ତୈଳଦର ବୃଦ୍ଧିର ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ଡାଙ୍ଗି କହିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୧୩-୨୦୧୪ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳଦର ବହୁତ ଅଧିକ ଥିଲା । ଏହା ସତ୍ୱେ ସେତେବେଳେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଏବଂ ଡିଜେଲ ୫୫ ଟଙ୍କାରେ ବିକ୍ରି ହୋଇପାରୁଥିଲା ବେଳେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୪୦ ପ୍ରତିଶତ ଓ ୭୫ ପ୍ରତିଶତ ବୃଦ୍ଧିପାଇଛି । ଗତ କିଛିମାସ ଧରି ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବା ବେଳେ ଏହାର ସୁଫଳ କୋଟି କୋଟି ଉପଭୋକ୍ତାଙ୍କ ନିକଟରେ ପହଂଚି ପାରୁ ନାହିଁ ।
ମୋଦି ସରକାରଙ୍କ ଦିଗହରା ନୀତି କାରଣରୁ ଦେଶରେ ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କରିଛି । ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟି ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥାକୁ ଶୋଚନୀୟ କରିଦେଇଛି । ଏବେ ବୋଝ ଉପରେ ଲଳିତାବିଡ଼ା ସଦୃଶ ଏବେ ମୋଦି ସମସ୍ତ ରାଷ୍ଟ୍ରୀୟ ସଂପତି ଯଥା ରେଳ, ବିମାନସେବା, ବନ୍ଦର, ଏଲଆଇସି, ଖଣି, ରାଷ୍ଟ୍ରାୟତ ଉଦ୍ୟୋଗ ଆଦିର ଘରୋଇକରଣ କରୁଛି ଅବା ତାଙ୍କର ବନ୍ଧୁ ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି । ମୋଦି ସରକାରଙ୍କ ଯୁବବିରୋଧି ଆଭିମୁଖ୍ୟ ଯୋଗୁ କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷ ରୁ ପଦବୀ ଖାଲି ପଡ଼ିଛି ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବୀର ୨୪ ପ୍ରତିଶତ । ଦେଶର ଯୁବ ସମାଜକୁ ଭୁଆଁ ବୁଲାଇବା ପାଇଁ ଅଗ୍ନିପଥ ଯୋଜନା ପ୍ରଣୟନ କରି ଯୁବକମାନଙ୍କର ରୋଜଗାର ସମ୍ଭାବନାକୁ ସଂକଟକୁ ଠେଲି ଦେଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ନୂଆ ବିପଦକୁ ଡାକି ଆଣିଛନ୍ତି । ସେନାବାହିନୀରେ ଯୋଗଦେଇ ଦେଶର ସେବା କରିବାକୁ ଆଶା ରଖିଥିବା ଯୁବକ ଯୁବତୀମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଛି । ନିରାପତା ବା ପେନସନର ଗ୍ୟାରେଂଟି ନଥିବା ୪ବର୍ଷିୟା ଠିକା ନିଯୁକ୍ତି ଏ ଦେଶର ଅଗଣିତ ଯୁବ ସମାଜ ପ୍ରତି ଚରମ ପ୍ରତାରଣା ।

ବେକାରୀ ସମସ୍ୟା ଏଭଳି ଉତ୍କଟରୁପ ଧାରଣ କରିଛି ଯେ ଏ ଦେଶରେ ୨୦ ରୁ ୨୪ ବର୍ଷ ଭିତରେ ୪୨ ପ୍ରତିଶତ ଯୁବକ ଯୁବତୀ ଏବେ ନିଯୁକ୍ତି ସଂଧାନରେ ହତାଶା ଭିତରେ କାଳତିପାତ କରୁଛନ୍ତି । ଏହାର ପରିଣାମ ସ୍ୱରୂପ ପିଏଚଡି, ସ୍ନାତୋକତର ତଥା ଅନ୍ୟାନ୍ୟ ଉଚ୍ଚ ଡିଗ୍ରୀ ହାସଲ କରିଥିବା ଯୁବକଯୁବତୀ ମାନେ ନିମ୍ନ ପଦବୀ ପାଇଁ ଆବେଦନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଏଭଳି କଠିନି ପରିସ୍ଥିତିରେ ଲୋକଙ୍କ ସହିତ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଛିଆହୋଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ବିଫଳତା, ତ୍ରୁଟିପୂର୍ଣ୍ଣ ନୀତି, ଦରବୃଦ୍ଧି, ବେକାରୀ, ମୁଦ୍ରାସ୍ପିତି ଆଦି ବିରୋଧରେ ଲଢ଼େଇ କରି ଆସୁଛି । ଜୁନ ୨୦୨୧ ରୁ ଅଦ୍ୟାବଧି କଂଗ୍ରେସ ଦେଶବ୍ୟାପି ବରୋଧ ପ୍ରଦର୍ଶନ ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ୫ ଅଗଷ୍ଟରେ ଦରବୃଦ୍ଧି ବିରୋଧରେ ରାଷ୍ଟ୍ରପତି ଅଭିମୁଖେ ମାନନୀୟ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ଓ ନେତୃବୃନ୍ଦ ଆସୁଥିବା ବେଳେ ମୋଦି ସରକାର ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଅନ୍ୟାୟ ଭାବରେ ଅଟକ ରଖିଥିଲା । ଦରବୃଦ୍ଧି ବିରୋଧରେ ଏହି ଦେଶବ୍ୟାପି ପ୍ରଦର୍ଶନ ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ “ମହଙ୍ଗାଇ ପର ହାଲାବୋଲ” ର‌୍ୟାଲି ଆୟୋଜିତ ହେବାକୁ ଯାଉଛି ।

ଏହି ପ୍ରରୀପେକ୍ଷୀରେ ଦରବୃଦ୍ଧି ଉପରେ ତୁରନ୍ତ ଅଂକୁଶ ଲଗାଇବା ସହ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ପୂର୍ବ ପ୍ରତିଶ୍ରୁତିକୁ ସରକାର ପୂରଣ କରିବାପାଇଁ କଂଗ୍ରେସ ଦାବି କରୁଛି । ସେହିପରି ଓଡ଼ିଶାର ବେକାରୀ ସମସ୍ୟା ସଂପର୍କରେ ଆଲୋକପାତ କରି ଶ୍ରୀ ଡାଙ୍ଗି କହିଲେ ଯେ ଓଡ଼ିଶାରେ ମଧ୍ୟ ୧ଲକ୍ଷ ୬୨ ହଜାରୁ ଉର୍ଦ୍ଧ୍ୱ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ପଦବୀ ଏଣ୍ଟ୍ରି ଲେବୁଲର । ଉଭୟ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୋଧରେ କଂଗ୍ରେସ ସଂଗ୍ରାମ କରିବ । ଏ ଲଢ଼େଇ କେବଳ କଂଗ୍ରେସର ନୁହେଁ ଓଡ଼ିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କ ଲଢ଼େଇ । ଏହା ସହିତ ସରକାରଙ୍କ ଜନବିରୋଧି ଓ ଯୁବ ବିରୋଧି ଆଭିମୁଖ୍ୟ ବିରୋଧରେ ସ୍ୱରଉତୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାପାଇଁ କଂଗ୍ରେସ ଅନୁରୋଧ କରୁଛି ବୋଲି ଶ୍ରୀ ଡାଙ୍ଗି ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.