ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ । ମୃତକ ହେଲେ କଳାହାଣ୍ଡି କେସିଙ୍ଗାର ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର । ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ ।
ତେବେ ତାଙ୍କ ମୃତ୍ୟୁ କେମିତି ହେଲା ସେନେଇ କିଛି ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ମୁତାବକ, ଈଶ୍ବର ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଛି। କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର ଧୀରେନ୍ଦ୍ର ଦୋରାଙ୍କ ସାନ ପୁଅ ଈଶ୍ୱର ଚନ୍ଦ୍ର ଦୋରା(୩୫) ୨୦୦୯ରେ ବିଏସଏଫରେ ଯବାନ ଭାବେ ନିଯୁକ୍ତି ପାଇଥିଲେ। ବର୍ତମାନ ସେ ତ୍ରିପୁରାରେ କାର୍ଯ୍ୟରତ ଥିଲେ। ସେ ଗୁରୁବାର ମଧ୍ୟରାତ୍ର ପର୍ଯ୍ୟନ୍ତ ତାଙ୍କ ପତ୍ନୀ ଭାରତୀ ଦୋରାଙ୍କ ସହିତ କଥା ହୋଇଥିଲେ। ସେ ଯେଉଁ ଅଞ୍ଚଳକୁ ଡ୍ୟୁଟିରେ ଯାଇଥିଲେ ସେଠାରେ ମୋବାଇଲ ଲାଗିବ ନାହିଁ, ତେଣୁ ଡ୍ୟୁଟି ସାରି ଫେରିବା ପରେ କଥା ହେବି ବୋଲି କହିଥିଲେ।
ମାଆ, ବାପ ଓ ଏକ ମାତ୍ର ଝିଅ ଗୁଡିର ଯତ୍ନ ନେବା ପାଇଁ ଈଶ୍ୱର ତାଙ୍କ ପତ୍ନୀ ଭାରତୀଙ୍କୁ କହିଥିଲେ। ଗୁରୁବାର ରାତିରେ ସେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଖବର ଶୁକ୍ରବାର ଦିନ ୧୦ରେ ଆସିବାପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମର ଶରୀରକୁ ନିଜ ଜନ୍ମମାଟି ବେଲଖଣ୍ଡିକୁ ଅଣାଯାଉଥିବା ସୂଚନା ମଲିଛି ।