ପଦ୍ମପୁର ଉପନିର୍ବାଚନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ମାଡ଼, ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାମ୍ବାଦିକ ସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଖବର ସଂଗ୍ରହ କରୁଥିବା ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ପାଇକମାଳ ଥାନାରେ ବିଜେପି କର୍ମୀମାନେ ପୁଲିସ ଉପସ୍ଥିତିରେ ନନ୍ଦିଘୋଷ ଟିଭିର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ଜୀବନରେ ମାରିଦେବା ଲାଗି ଥାନା ବାହାରେ ବିଜେପି କର୍ମୀମାନେ ମାରଣାସ୍ତ୍ର ଧରି ଜଗି ରହିଥିଲେ ।

ଘଟଣା ସମ୍ପର୍କରେ ଦେବହରି ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଏହାକୁ ନେଇ ସାମ୍ବାଦିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ସେମାନଙ୍କ ସୁରକ୍ଷା ଦାବି କରି ଆଜି ପଦ୍ମପୁର ଉପଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ନନ୍ଦିଘୋଷ ଟିଭିର ସାମ୍ବାଦିକମାନଙ୍କୁ ବିଜେପି ନେତା ଓ କର୍ମୀମାନେ ଟାର୍ଗେଟ୍ କରି ଆକ୍ରମଣ କରୁଥିବା ସେମାନେ ଦର୍ଶାଇଛନ୍ତି । ଦେବହରିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସେମାନେ ନିବେଦନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅନୁରୂପ ଦାବିରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପ୍ରତିନିଧି ଦଳ ଦାବି କରିଛନ୍ତି । ବିଜେପି ପକ୍ଷରୁ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ମିଳିପାରିନାହିଁ ।

ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ: ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦିକୁ ନେଇ ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ଅର୍ଗସ୍ ଟିଭିର ମହିଳା ସାମ୍ବାଦିକ ଶତରୂପା ସାମନ୍ତରାୟଙ୍କୁ ରାଜ୍ୟ କୃଷି ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ଆକ୍ରମଣ କରିବାକୁ ଉସକାଉଥିବାର ଭାଇରାଲ୍ ଭିିଡ଼ିଓ ସମ୍ପର୍କରେ ଅବଗତ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପ୍ରତିନିଧି ଦଳ ସ୍ମାରକପତ୍ର ଦେଇଛନ୍ତି ।

 

Leave A Reply

Your email address will not be published.