ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମିଳିଛି ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଛି ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ।ନିଜ ବିଭାଗ ସହ ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ବ ତୁଲାଇବେ।  ତାହା ହେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ । ଏହି ଦୁଇ ବିଭାଗର ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରୀକାନ୍ତ ସାହୁ ଗତକାଲି ଇସ୍ତଫା ଦେଇଥିବାରୁ ଏହା ଖାଲି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଦୁଇ ବିଭାଗର ଦାୟିତ୍ୱ ପ୍ରମିଳାଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବା ବେଳେ ଅଚାନକ ବାଚସ୍ପତି ଏବଂ ଦୁଇମନ୍ତ୍ରୀଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ମନ୍ତ୍ରିମଣ୍ଡଳ ଅଦଳବଦଳ ନିଶ୍ଚିତ ବୋଲି ଏଥିରୁ ଆଭାସ ମିଳିଥିଲା ।

ଆଜି ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଥିଲେ ମଧ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ହରିଆନା ଗସ୍ତରେ ଥିବାରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ବିଦାୟୀ ଦୁଇମନ୍ତ୍ରୀଙ୍କ ବିଭାଗ ଶ୍ରୀମତୀ ମଲ୍ଲିକଙ୍କୁ ଅସ୍ଥାୟୀ ଭାବେ ଯାଇଛି ଏବଂ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି କୁହାଯାଉଛି । ସୂଚନାଥାଉକି, ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.