ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଙ୍ଗଳବାର ୧୨ ତାରିଖରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚକପର୍ବ। ମହାକାର୍ତ୍ତିକର ଏହି ଶେଷ ଦିନଗୁଡ଼ିକ ସବୁଠୁ ପୁଣ୍ୟ ଦିନ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିବେ। ତେବେ ଶ୍ରୀମନ୍ଦିର ଭିତରକାଠ ପରିବର୍ତ୍ତେ ଶ୍ରଦ୍ଧାଳୁମାନେ କେବଳ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ। ଏଥର ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ।
ତେଣୁ ଭକ୍ତ ମାନଙ୍କୁ ୪ ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ବୁଧବାର ବାଙ୍କଚୂଡ଼ା ବେଶ ଏବଂ୧୪ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ। ୧୫ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ । ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସର୍କିଟ ହାଉସରେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ସ୍ବାଇଁ ସୂଚନା ଦେଇ କହିଛନ୍ତି, ୧୨ତାରିଖଠାରୁ ପଞ୍ଚକ ବ୍ରତ ଆରମ୍ଭ ହେଉଛି।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏନେଇ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି। ଚଳିତ ବର୍ଷ ପଞ୍ଚକ ୪ଦିନ ପଡୁଛି। ତେଣୁ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁବିଧା ଦର୍ଶନ ନିମନ୍ତେ ଟାଉନ ଥାନା ନିକଟରୁ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ବ୍ୟାରିକେଡ୍ ମଧ୍ୟରେ ପିଇବା ପାଣି ଠାରୁ ଆରମ୍ଭ କରି ଆଲୋକ, ଫ୍ୟାନ୍ ବ୍ୟବସ୍ଥା ହୋଇଛି। ନୀତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଡିସପ୍ଲେ ଓ ମାଇକ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ପରେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ।