ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜିଦେଲା କୋମଳମତୀ ଶିଶୁଟି, ଆଉ ଦୁନିଆକୁ ଦେଇଗଲା ଅଭୁଲା ବାର୍ତ୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହସ ହସ ଚେହରା, ମିଠା ମିଠା କଥା । ସମସ୍ତଙ୍କୁ ନିଜର କରିଦେଉଥିବା ଏହି କୁନି ଝିଅଟି ମାତ୍ର ୪ବର୍ଷ ବୟସରେ ସଭିଙ୍କୁ ଛାଡି ଚାଲିଯିବ, ଏକଥା କିଏ ଜାଣିଥିଲା । ଝିଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’ । ହେଲେ ଗୋଟିଏ ଝଟକାରେ ସବୁ ସ୍ୱପ୍ନ ଚୁରମାର ହୋଇଥିଲା । ଝିଅର ମୃତ୍ୟୁ ପରେ ଛାତିକୁ ପଥର କରି ଝିଅର ଆଖି ଦାନ କରିଛନ୍ତି ଜଣେ ବାପା ମା । ଏବେ ଝିଅ ନାହାଁନ୍ତି ସତ, କିନ୍ତୁ ତାଙ୍କ ଆଖିରେ ଦୁନିଆ ଦେଖୁଛନ୍ତି ଆଉ ଜଣେ । ଅଗଷ୍ଟ ୨୩ ତାରିଖ ସାରା ଭାରତ ବର୍ଷ ଚନ୍ଦ୍ରଯାନର ସଫଳତା ପାଇଁ ଖୁସି ମନାଉଥିବା ସମୟରେ ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ଅଞ୍ଚଳରେ ଖେଳିଯାଇଥିଲା ଦୁଃଖଦ ବାତାବରଣ | ଝାରପୋଖରୀଆ ସ୍ଥିତ ଦେବଦତ୍ତ ଦଣ୍ଡପାଟଙ୍କ ଝିଅ ଓଡିଶା ବ୍ରିଗେଡ଼ ସୈନିକ ସ୍କୁଲ ନର୍ସରୀ ଶ୍ରେଣୀର କୁନି ଛାତ୍ରୀ ରଞ୍ଜନା ଦଣ୍ଡପାଟଙ୍କ ଅକାଳ ବିୟୋଗକୁ ସହଜେ ଗ୍ରହଣ କରି ପାରିନାହାନ୍ତି ଅଞ୍ଚଳବାସୀ। ସମସ୍ତଙ୍କୁ ଛାଡି ଭଗବାନଙ୍କ ପାଦ ପଦ୍ମରେ ଲୀନ ହୋଇଛନ୍ତି ରଞ୍ଜନା।

ରଞ୍ଜନାଙ୍କ ଦେହ ଅସୁସ୍ଥ ରହିଥିବା ବେଳେ ତାଙ୍କୁ ବାରିପଦା ମେଡିକାଲ ନିଆଯାଇଥିଲା, ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ କୁନି ଝିଅଟି ଦୁନିଆ ଛାଡିବା ପୂର୍ବରୁ ଏପରି ମହତ କାର୍ଯ୍ୟ କରିଯାଇଛି ଯାହାକୁ ଭୁଲିବା ସମ୍ଭବ ନୁହେଁ। ମୃତ୍ୟୁ ପରେ ଝିଅର ଆଖିକୁ ଦାନ କରିବା ପାଇଁ ନିଷ୍ପତି ନେଇଥିଲେ ବାପା । ଏତେ ସହଜ ନଥିଲା ନିଷ୍ପତି । କିନ୍ତୁ ଅନ୍ୟ କାହା ଆଖିରେ ଝିଅ ଜୀବନ୍ତ ରହିପାରିବା ଆଶା ନେଇ ଝିଅର ଚକ୍ଷୁ ଦାନ କରିଛନ୍ତି ବାପା । ସାରସକଣା ବ୍ଲକରେ ଆଜିଯାଏଁ କେହି ଶିଶୁ ଏପରି ଅଂଗଦାନ କରିଥିବା ସୂଚନା ନାହିଁ। ମାତ୍ର ୪ବର୍ଷର କୁନି ଝିଅର ଚକ୍ଷୁ ଦାନ ଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ସହିତ ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଅଞ୍ଚଳରେ ଥିବା ସାରସକଣା ବ୍ଲକର ଗ୍ରାମାଞ୍ଚଳରୁ ପ୍ରଥମ ଘଟଣା ସମଗ୍ର ସମାଜ ପାଇଁ ସେ ଏକ ଉଦାହରଣ ହୋଇଗଲେ।

Leave A Reply

Your email address will not be published.