ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ପାଟଣାଗଡ଼ର ପାର୍ସଲ ବୋମାର ପୁନରାବୃତ୍ତି । ଛତିଶଗଡ଼ରେ ମ୍ୟୁଜିକ୍ ସିଷ୍ଟମ୍ରେ ବୋମା ଖଞ୍ଜି ବରକୁ ହତ୍ୟା କରି ପ୍ରତିଶୋଧ ନେଲା ପ୍ରେମିକ। କନ୍ୟାର ପୂର୍ବତନ ପ୍ରେମିକ, ମ୍ୟୁଜିକ ସିଷ୍ଟମ ଗିଫ୍ଟରେ ଖଞ୍ଜିଥିଲା ବୋମା । ସୁଇଚ୍ ଅନ୍ କରୁ କରୁ ବିସ୍ଫୋରଣ ହେବାରୁ ବର ସହିତ ତାଙ୍କ ବଡ଼ ଭାଇଙ୍କର ଚାଲିଯାଇଛି ଜୀବନ । ବିସ୍ଫୋରଣରେ ଆଉ ୪ ଜଣ ବି ଆହତ ହୋଇଛନ୍ତି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର । ଛତିଶଗଡ କବିରଧାମ ଜିଲ୍ଲା ଚମାରି ଗାଁର ଏହି ଧ୍ୱଂସସ୍ତୁପ ପାଲଟିଥିବା ଘର ମନେ ପକାଇଦେଇଛି ବଲାଙ୍ଗୀର ପାଟଣାଗଡର ପାର୍ସଲ ବୋମା ବିସ୍ପୋରଣକୁ । ଏଠି ବି ଫୁଟିଛି ବିବାହ ଉତ୍ସବରେ ମିଳିଥିବା ଏକ ପାର୍ସଲ । ଆଉ, ବିସ୍ଫୋରଣ ନେଇଯାଇଛି ଦୁଇ ଦୁଇଟି ଜୀବନ । ବର ଓ ବଡ ଭାଇ ପ୍ରାଣ ହରାଇଥିବା ବେଳେ ପରିବାରର ୪ ଜଣ ଆହତ ହୋଇଛନ୍ତି । ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ ଘଟାଇଛି ପ୍ରେମିକ। ଦିନକ ପୂର୍ବରୁ ଏ ଘରେ ବାଜିଥିଲା ଶେହନାଇ । ମଧ୍ୟପ୍ରଦେଶ ବାଲାଘାଟର ଲଳିତାଙ୍କୁ ବିବାହ କରି ଘରକୁ ଆଣିଥିଲେ ହେମେନ୍ଦ୍ର । ହେଲେ କିଏ ଜାଣିଥିଲା ୨୪ ଘଣ୍ଟା ନପୁରୁଣୁ ତା ମଥାରୁ ସିନ୍ଦୁର ଲିଭିଯିବ ।

ବିବାହ ପରେ ଲଳିତାଙ୍କ ସହ ଘରକୁ ଆସିଥିଲା ଅନେକ ଉପହାର। ଉତ୍ସାହର ସହ ହେମେନ୍ଦ୍ର ପୁରା ପରିବାର ଉପସ୍ଥିତିରେ ଗିଫ୍ଟ ଖୋଲିଥିଲେ। ଶେଷରେ ଉପହାର ମିଳିଥିବା ଏକ ହୋମ ଥିଏଟର ଖୋଲି ଗୀତ ଶୁଣିବାକୁ ବିଦ୍ୟୁତ ସଂଯୋଗ କରିବା କ୍ଷଣି ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା । ଗୁରୁତର ହେମେନ୍ଦ୍ର ଓ ତାଙ୍କ ବଡ ଭାଇଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବିସ୍ଫୋରଣ ପଛରେ ଏକତରଫା ପ୍ରେମ। ପ୍ରେମିକା ଓ ତା ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା ପ୍ରେମିକ ସଞ୍ଜୁ । କବର୍ଦ୍ଧ ଏସପିଙ୍କ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଛପଲା ଜିଲ୍ଲାର ସଞ୍ଜୁ ମର୍କମ, ଲଳିତାଙ୍କୁ ପ୍ରେମ କରୁଥିଲା । ଉଭୟଙ୍କ ମଧ୍ୟରେ ନିବିଡ ସମ୍ପର୍କ ବି ଗଢ଼ି ଉଠିଥିଲା । ହେଲେ ହେମେନ୍ଦ୍ରଙ୍କ ସହ ଲଳିତାଙ୍କ ଠିକ୍ ହୋଇଯାଇଥିଲା ବାହାଘର। ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା ସଞ୍ଜୁ । ପେଶାରେ ମେକାନିକ ସଞ୍ଜୁ, ଦୋକାନରୁ ସାଉଣ୍ଡ ସିଷ୍ଟମ କିଣି ତାଭିତରେ ବିସ୍ଫୋରକ ଖଞ୍ଜିଥିଲା । ବିବାହ ଦିନ ବାରୁଦ ଭର୍ତ୍ତି ଗିଫ୍ଟ ଧରି ପହଁଚିଯାଇଥିଲା ସଞ୍ଜୁ ଏବଂ ସମସ୍ତଙ୍କ ଉପସ୍ଥିତିରେ ଗିଫ୍ଟ ଥୋଇ ଚାଲିଯାଇଥିଲା । ପଚରା ଉଚୁରା ବେଳେ ସବୁ କଥା ମାନିଯାଇଛି ଅଭିଯୁକ୍ତ। ୨୩ ଫେବ୍ରୁଆରୀ ୨୦୧୮ । ବଲାଙ୍ଗୀରର ପାଟଣାଗଡ଼ରେ ଘଟିଥିଲା ସମାନ ଘଟଣା । ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୨୬ ବର୍ଷିୟ ସଫ୍ଟେୱେୟାର ଇଂଜିନିୟର ସୌମ୍ୟ ଶେଖର ସାହୁ ଏବଂ ତାଙ୍କ ଜେଜେମା ଜେମାମଣି । ବିସ୍ଫୋରଣରେ ସୌମଙ୍କ ପତ୍ନୀ ରିମା ଗୁରୁତର ଆହତ ହୋଇଥିଲେ। ତଦନ୍ତ ପରେ ପୁଞ୍ଜିଲାଲ ମେହେର ନାମକ ଜଣେ ଅଧ୍ୟାପକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଜାଲରେ ଦୀର୍ଘଦିନ ସଜ୍ଜା କାଟିବା ପରେ ଏବେ ପୁଞ୍ଜିଲାଲ ମେହେର କଣ୍ଡିସନାଲ ବେଲରେ ଅଛି।