ସ୍ବାସ୍ଥ୍ୟ ଆପ୍ ଜରିଆରେ ପଇଠ ଦେୟ

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର: ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ତ୍ବରାନ୍ବିତ ରୋଗୀ ସେବା ନିମନ୍ତେ ଅଭିନବ ପଦକ୍ଷେପ । ଏମ୍ସ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ଇ-ପେମେଣ୍ଟ ବ୍ୟବସ୍ଥା । ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ ସାଧାରଣଲୋକ କରିପାରିବେ ପେମେଣ୍ଟ୍‌ । ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ହୋଇପାରିବ ପେମେଣ୍ଟ ବ୍ୟବସ୍ଥା । ଏନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଆଜି ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ମିଶନ୍‌କୁ ସଫଳ କରିବା ତଥା ଲୋକଙ୍କୁ ସହଜ, ସରଳ ଭାବେ ପେମେଣ୍ଟ୍‌ କରିବାର ମାଧ୍ୟମ ଯୋଗାଇଦେବାକୁ ଏମ୍ସ ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ମିସନ୍‌କୁ ସଫଳ କରିବା ତଥା ଲୋକଙ୍କୁ ସହଜ, ସରଳ ଭାବେ ପେମେଣ୍ଟ୍ କରିବାର ମାଧ୍ୟମ ଯୋଗାଇଦେବାକୁ ଏମ୍‌ସ ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

ଆଜିଠାରୁ ପ୍ରଚଳିତ ହୋଇଥିବା ଏହି ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ସମଗ୍ର ଦେଶରେ ମଧ୍ୟ ଅଭିନବ ବୋଲି ଡ. ବିଶ୍ବାସ କହିଛନ୍ତି। ଏମ୍‌ସ ଭୁବନେଶ୍ୱରର ଏହି ଇ-ପେମେଣ୍ଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ, ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲ୍‌ରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ। ପ୍ରଥମ ସୋପାନରେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ‘ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍’ ଡାଉନଲୋଡ୍ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିତାଧିକାରୀଙ୍କ ମୋବାଇଲ୍‌କୁ ଏକ ଓଟିପି ନମ୍ବର ଆସିବ। ଓଟିପି ନମ୍ବର ଦେବା ପରେ ସ୍ବାସ୍ଥ୍ୟ ଆପ୍‌ର ପେଜ୍ ମୋବାଇଲ୍‌ରେ ଡିସ୍‌ପ୍ଲେ ହେବ। ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ପ୍ରକ୍ରିୟା ଚୟନ କରିବାକୁ ପଡିବ, ଯାହା ପରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ।

ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଚୟନ କରିବେ। ପେମେଣ୍ଟ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ରସିଦ ପ୍ରଦର୍ଶିତ ହେବ, ଯାହା ପରବର୍ତ୍ତୀ ବ୍ୟବହାର ପାଇଁ ଡାଉନ୍‌ଲୋଡ୍ ହୋଇ ବ୍ୟବହାର ହୋଇପାରିବ। ଦେୟ ପ୍ରକ୍ରିୟା ସମାପ୍ତ ହେବା ପରେ ରୋଗୀମାନେ ସିଧାସଳଖ ନମୁନା ସଂଗ୍ରହ କାଉଣ୍ଟର୍‌କୁ ଯାଇପାରିବେ। ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଉପରୋକ୍ତ ପ୍ରକ୍ରିୟା ସମାପନ ହୋଇପାରିବ। ଏନେଇ ବିକଶିତ ଆପ୍ ଜରିଆରେ ଖୁବ୍ କମ ସମୟରେ ସମସ୍ତ ପ୍ରକ୍ରିୟା ସମାପନ ହେଉଛି। ଏହା ବିଲିଂ କାଉଣ୍ଟରରେ ଲମ୍ବା ଧାଡ଼ିର ଅପେକ୍ଷାରୁ ବିରତି ଦେବ। ଉନ୍ମୋଚନ କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଆଇଟି ଚେୟାରମ୍ୟାନ୍ ଡ. ମନୋଜ କୁମାର ମହାନ୍ତି ଏବଂ ଆଇଟି ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ପେପର୍‌ଲେସ ଅଫିସ୍ ନିମନ୍ତେ ଏମ୍‌ସ ଭୁବନେଶ୍ୱର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। କିଛିଦିନ ତଳେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଇ-ଅଫିସ୍ ବ୍ୟବସ୍ଥାର ପ୍ରଚଳନ କରିସାରିଛି। ଆଜି ଆରମ୍ଭ ହୋଇଥିବା ଇ-ପେମେଣ୍ଟ୍ ବ୍ୟବସ୍ଥାର ବ୍ୟାପକ ପ୍ରଚଳନ ନିମନ୍ତେ ଏମ୍‌ସ ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯିବ। ଏହା ଫଳରେ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ସୂଚନାଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରକୁ ଦୈନିକ ଚାରି ହଜାରରୁ ସାଢ଼େ ଚାରିହଜାର ରୋଗୀ ଚିକିତ୍ସାସେବା ନିମନ୍ତେ ଆସୁଛନ୍ତି।

Leave A Reply

Your email address will not be published.