ପୋଷ୍ଟ ଅଫିସ ଜରିଆରେ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଘର ପାଖରେ ଭତା ପ୍ରଦାନ କରାଯାଉ : କଂଗ୍ରେସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ଓଡ଼ିଶାର ଭତା ପାଉଥିବା ହିତାଧିକାରୀଙ୍କୁ ନଗଦ ରାଶି ଆକାରରେ ଭତା ପ୍ରଦାନ କରିବା ନିଷ୍କତି ବିଜୁ ଜନତା ଦଳ ସରକାରର ଆଉ ଏକ ନିର୍ବାଚନୀ ଚାଲ ବୋଲି ଆଜି ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ଅଭିଯୋଗ କରିଛନ୍ତି । ପଂଚାନନ କାନୁନ୍‌ଗୋ ସାମ୍ବାଦିକ ମାନଙ୍କୁ ସୁଚନା ଦେଇ କହିଛନ୍ତି ଯେ, ୨୦୦୮ ମସିହାରୁ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନା ମାଧ୍ୟମରେ ରାଜ୍ୟର ବିଭିନ୍ନ ବର୍ଗ ବିଶେଷ କରି ବିଧବା ମହିଳା, ବାର୍ଦ୍ଧକ୍ୟ ହେତୁ ଓ ଏଡ଼ସ୍ ଆକ୍ରାନ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଭତା ପ୍ରଦାନ କରୁଛନ୍ତି । ୧୯୭୮ ମସିହାରୁ ଭାରତ ବର୍ଷର ସେତେବେଳର କେନ୍ଦ୍ରର କଂଗ୍ରେସ ସରକାର ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନା ଲାଗୁ କରିଥିଲେ । ଏହି ପେନସନ୍ ଯୋଜନା ସରକାରଙ୍କର ସାମାଜିକ ନ୍ୟାୟ ବ୍ୟବସ୍ଥାର ଏକ ଅଂଶ ବିଶେଷ ।

ରାଜ୍ୟରେ ସମୁଦାୟ ୨୮ ଲକ୍ଷ ୨୦ ହଜାର ଯୋଗ୍ୟ ଭତା ପାଇବା ପାଇଁ ହିତାଧିକାରୀ ଅଛନ୍ତି । ତନ୍‌ମଧ୍ୟରୁ ୧୩ ଲକ୍ଷ ଲୋକଙ୍କୁ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଯୋଜନାରେ ସିଧାସଳଖ ବ୍ୟାଙ୍କ ଟ୍ରାନ୍‌ଫର ମାଧ୍ୟମରେ ଭତା ପ୍ରଦାନ କରାଯାଉଅଛି । ବାକି ୧୫ ଲକ୍ଷ ୨୦ ହଜାର ଲୋକଙ୍କୁ ରାଜ୍ୟ ସରକାର ୫ ଶହ ରୁ ୭ ଶହ ଟଙ୍କା ପ୍ରଦାନ କରୁଛନ୍ତି । ଯେଉଁମାନେ ୮୦ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ୭୦୦ ଟଙ୍କା ଭତା ପ୍ରଦାନ କରାଯାଉଅଛି । ପ୍ରକାଶ ଥାଉ କି ଭାରତ ବର୍ଷର ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି କି ସବୁଠାରୁ କମ୍ ବା ଅତି ନଗଣ୍ୟ ଅର୍ଥରାଶି ଭତା ଆକାରରେ ଦିଆଯାଉଛି । ଏପରିକି ଓଡ଼ିଶା ଠାରୁ ବହୁ ଛୋଟ ରାଜ୍ୟ ମାନଙ୍କରେ ସର୍ବନିମ୍ନ ଭତା ୧୫୦୦ ଟଙ୍କା ରୁ ଅଧିକ । ଓଡ଼ିଶା ସରକାର ହଠାତ୍ ନିର୍ବାଚନ ପାଖେଇ ଆସିଲାବେଳକୁ ଏଭଳି ଏକ ନିଷ୍ପତି କାହିଁକି ନେଇଛନ୍ତି ? ପ୍ରକୃତ ଉଦ୍ଦେଶ୍ୟ କ’ଣ ଓଡ଼ିଶାର ଗରୀବ ଅସହାୟ ହିତାଧିକାରୀଙ୍କୁ ଠିକ୍ ସମୟରେ ତାଙ୍କ ପାଖରେ ଭତା ପହଂଚାଇବା ନା ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖି ଆଉ ଏକ ଛଳନା । ରାଜ୍ୟ କଂଗ୍ରେସ ଦଳ ଡିମାଣ୍ଡ କରୁଛି ଯେ, ହିତାଧିକାରୀଙ୍କ ପାଖରେ ନଗଦ ରାଶି ପହଂଚୁ କିନ୍ତୁ ନଗଦ ରାଶିକୁ ବିଜୁ ଜନତା ଦଳର କର୍ମୀ ଓ ସଂଗଠକଙ୍କ ଜରୀଆରେ ଏ ରାଶିକୁ ବଂଟନ କରାନଯାଉ । ଏହି ଭତା ରାଜ୍ୟର ସରକାରୀ ତହବିଲ୍‌ରୁ ପ୍ରଦାନ କରାଯାଉଛି । ଏହା ବିଜୁ ଜନତା ଦଳ ବା ନବୀନ ବାବୁଙ୍କର ନିଜସ୍ୱ ପଇସା ନୁହଁ ଯାହାକି ଭତା ଆକାରରେ ପ୍ରଦାନ କରାଯାଉଛି ବୋଲି ପଂଚାନନ କାନୁନ୍‌ଗୋ କହିଛନ୍ତି ।

ଓଡ଼ିଶାରେ ୬୭୯୮ ଗ୍ରାମ ପଂଚାୟତ ଅଛି ଏବଂ ଓଡ଼ିଶାରେ ଗ୍ରାମାଂଚଳରେ ୮୩୨୯ ଟି ପୋଷ୍ଟ ଅଫିସ ଅଛି, ତତ୍‌ସହିତ ୭୬୫ ଟି ଉପଡାକଘର ଅଛି । ତେଣୁ ପ୍ରତ୍ୟେକ ପଂଚାୟତରେ ଗୋଟିଏ ପୋଷ୍ଠ ଅଫିସ୍ ଅଛି । ମୁଖ୍ୟମନ୍ତ୍ରୀ ବା ତାଙ୍କର ଚଳନ୍ତି ସର୍ବବିଦ୍ୟମାନ ସର୍ବଜ୍ଞ୍ୟ, ଯେଉଁ ବାବୁ
ଜଣଙ୍କ ନିଜକୁ ବହୁ ପ୍ରଭାବଶାଳୀ ବୋଲି କହୁଛନ୍ତି, ସେ ଯାଇ ପୋଷ୍ଟ ମାଷ୍ଟର ଜେନେରାଲଙ୍କ ସହିତ କଥା ହୋଇ, ଭତା ପାଉଥିବା ହିତାଧିକାରୀଙ୍କୁ ପୋଷ୍ଟ ଅଫିସ୍ ମାଧ୍ୟରେ ଭତା ୧୫ ତାରିଖ ସୁଧା ହିତାଧିକାରୀଙ୍କ ପାଖରେ ପହଂଚାଇବାର ବ୍ୟବସ୍ଥା କରନ୍ତୁ । ଦୁର୍ଗମ ଅଂଚଳକୁ ମୋବାଇଲ ପୋଷ୍ଟଭ୍ୟାନ ଦ୍ୱାରା ହିତାଧିକାରୀଙ୍କ ପାଖକୁ ଭତା ପଠାଯାଇପାରିବ । ଭତା ପ୍ରଦାନବେଳେ ତାଙ୍କର ଟିପ ଚିହ୍ନ କିମ୍ବା ଦସ୍ତଖତ ଡାକବିଭାଗର କର୍ମଚାରିମାନେ ସଂଗ୍ରହ କରିବେ । ଏହା ଦ୍ୱାରା ବାଟ ମାରଣା ହୋଇପାରିବ ନାହିଁ । ଯଦି ନଗଦ ରାଶି ବଂଟନ କରାଯାଏ ତାହାଲେ ଏଥିରେ ବିଜୁ ଜନତା ଦଳର ସରକାରଙ୍କୁ ଦୁଇଟି ଫାଇଦା ହେବ ଯଥା (୧) ନବୀନ ବାବୁ ଭତା ପଠାଇଛନ୍ତି ବା ଦେଉଛନ୍ତି ବୋଲି ପ୍ରଚାର ହେବ ଏବଂ (୨) ବିଜୁ ଜନତା ଦଳର କର୍ମୀ ଓ ସଂଗଠକ ମାନେ ବହୁ ପରିମାଣରେ ଦୁର୍ନିତି କରିବାରେ ସୁଯୋଗ ପାଇବେ । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ସରକାର ଆଜିର ଏଭଳି ନିଷ୍ପତି ନେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନିତ । ପ୍ରଦେଶ କଂଗ୍ରେସ ମୁଖପାତ୍ର  ରଜନୀ ମହାନ୍ତି କହିଲେ ୨୦୦୮ ମସିହାରୁ ଓଡ଼ିଶାର ନିସ୍ୱ, ବୃଦ୍ଧ ଓ ବୃଦ୍ଧାମାନଙ୍କୁ ମଧୁବାବୁ ଭତା ପ୍ରଦାନ କରାଯାଉଅଛି ।

୧୬ ବର୍ଷ ପରେ ହଠାତ୍ କିନା ନିର୍ବାଚନ ସମୟରେ ନବୀନ ବାବୁ ଏକଥା କ’ଣ ହୃଦୟଙ୍ଗମ କଲେ ଯେ, ଭତା ଆଣିବା ପାଇଁ ସେମାନଙ୍କୁ ବହୁ ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଛି ବୋଲି? ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟର ଏହି ୧୫ ଲକ୍ଷ ୨୦ ହଜାର ହିତାଧିକାରୀଙ୍କ ପ୍ରତି ତିଳେମାତ୍ର ନିଷ୍ଠା ନାହିଁ । କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏହି ଚାଲବାଜିଟି କରାଯାଇଛି । ନବୀନ ବାବୁ ଦିଲ୍ଲୀର ନିଜ ବାସଭବନକୁ ବିକ୍ରି କରି କିମ୍ବା ବିଜୁ ଜନତାଦଳ ନିଜସ୍ୱ ପାଣ୍ଠିରୁ ୧ଟଙ୍କା ପ୍ରଦାନ କରୁନାହିଁ । ତାହାଲେ ଏତେ ମିଛ ହୁରି ପକାଇବା ପାଇଁ ଏ ଯୋଜନା କାହିଁକି? କଂଗ୍ରେସ ଦଳ ମଧ୍ୟ ଡିମାଣ୍ଡ କରୁଛି ରାଜ୍ୟ ସରକାର କାଳ ବିଳମ୍ବ ନକରି ଭତା ରାଶିର ପରିମାଣ ଅତିଶୀଘ୍ର ବୃଦ୍ଧି କରନ୍ତୁ । ଏପରିକି ନିକଟରେ କର୍ଣ୍ଣାଟକ
କଂଗ୍ରେସ ସରକାର ମହିଳାମାନଙ୍କୁ ୨ ହଜାର ଟଙ୍କା ପ୍ରତି ମାସରେ ଆର୍ଥିକ ସହାୟତ ଭତା ବାଦ ମଧ୍ୟ ପ୍ରଦାନ କରୁଛନ୍ତି । ପ୍ରଦେଶ କଂଗ୍ରେସର ମୁଖପାତ୍ର  ପ୍ରଶାନ୍ତ ଶତପଥି କହିଲେ ଯେ, ଯଦି ରାଜ୍ୟର ୧୩ ଲକ୍ଷ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଭତା ବ୍ୟାଙ୍କ ଟ୍ରାନ୍‌ସଫର ମାଧ୍ୟମରେ ସିଧାସଳଖ ଦିଆଯାଉଛି ତାହାଲେ ଓଡ଼ିଶାରେ ଏ ବ୍ୟବସ୍ଥା କାହିଁକି ହୋଇପାରୁନାହିଁ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବା ଉଚିତ୍ । ରାଜ୍ୟରେ ଗ୍ରାମାଂଚଳରେ ଅଧିକ ବ୍ୟାଙ୍କ କାହିଁକି ଖୋଲାଯାଇନାହିଁ । ଏହାର ଉତର କିଏ ରଖିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅପର୍ଣ୍ଣା ଧିର ସିଂ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.