ରାଜଧାନୀ ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପରେଡ ପ୍ରସ୍ତୁତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା ଦେଇ ରାମ ମନ୍ଦିର ଛକଠାରୁ ରାଜମହଲ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ। ଆଜି ରିହର୍ସାଲ୍‌ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍‌ ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପରେଡ୍‌ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ‌ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବାରିକେଡିଂ ବ୍ୟବସ୍ଥା ସହ ସିସିଟିଭି ଉପରେ ଗୁରୁତ୍ବ ଦିଆଯାଇଛି। ସାରା ଅଞ୍ଚଳରେ ଶତାଧିକ ସିସିଟିଭି ଖଞ୍ଜାଯାଇଛି। ସେଠାରେ ଥିବା ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ପ୍ରତିଟି ଦିଗ ଉପରେ ନଜର ରଖିବ।

ସେହିପରି ଏହି ସମୟରେ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୩ ତାରିଖ‌ ଅପରାହ୍‌ଣ ୨ଟାରୁ ସାଢ଼େ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ସେହିପରି ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। କୌଣସି ଗାଡ଼ିକୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ଅପରପକ୍ଷେ ୨୬ ତାରିଖ ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ ପିଏମଜି ଛକଠାରୁ ମାଷ୍ଟର କ୍ୟାଣ୍ଟି ଛକ ଓ ଏହାର ଆଖପାଖରେ ଗ୍ୟାସ୍‌ ବେଲୁନ ବିକ୍ରି କରାଯିବାକୁ ବାରଣ କରାଯାଇଛି। ପରେଡ଼ ସମୟରେ ରେଲୱେ ଷ୍ଟେଶନ ପାଖ ବିଡିଏ ବସ୍‌ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନା ଖାଲି ସ୍ଥାନ, ଇଡ୍‌କଲ ଅଡିଟୋରିୟମ ସାମ୍ନା ଖାଲି ସ୍ଥାନ, ସୂଚନା ଭବନ ସାମ୍ନା ଖାଲି ସ୍ଥାନ,ଏସବିଆଇ ୟୁନିଟ-୩ ସାମ୍ନା ଖାଲି ସ୍ଥାନ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଗାଡି ପାର୍କିଂର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛି।

Comments are closed.