ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ତା’ ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ।
ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବୁଧବାର ଦିନ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ସୋନପୁର, ବୌଦ୍ଧରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗତ ୩୬ ଘଣ୍ଟା ମଧ୍ୟରେ ଗୁରୁଚାପ ବଳୟ ପ୍ରଭାବରେ ଦିନ ସାରା ବର୍ଷା ଲାଗିରହିଥିଲା। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ କିଛି ଅାଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଛି।
ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ସର୍ବାଧିକ ୪୭ ମିମି ବର୍ଷା ହୋଇଥିବା ବେଳେ ଭୁବନରେ ୨୭, ପାରାଦୀପରେ ୧୫.୯, କେନ୍ଦୁଝର ଜିଲ୍ଲା ଘସିପୁରାରେ ୧୫.୩, ବାଲେଶ୍ବରର ସୋରରେ ୧୫, ଭଦ୍ରକରେ ୧୨, ବାଲେଶ୍ବରରେ ୧୦.୬, ଖୋର୍ଦ୍ଧାରେ ୭, ଯାଜପୁରରେ ୬.୮, ସମ୍ବଲପୁରରେ ୫.୯, ବରଗଡ଼ରେ ୫.୨, ଭୁବନେଶ୍ବରରେ ୫.୧, ପୁରୀରେ ୪.୯, ତାଳଚେରରେ ୪, କଟକରେ ୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି ଥିଲା।