ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ଆସୁଛି ଏକ ଭୀଷଣ ବାତ୍ୟା “ଦାନା”।ଆଇ ଏମ ଡି ତଥା ପାଣିପାଗ ବିଭାଗ ପକ୍ଷରୁ ସତର୍କତା ମୂଳକ ସୂଚନା ଦିଆଗଲାଣି।ଓଡିଶାକୁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି।ସେହି ଦୃଷ୍ଟିରୁ ଏହି ସଂକଟରୁ ସୁରକ୍ଷା ପାଇବା ପାଇଁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି କରିଥିବା ସୂଚନା ରହିଛି।ବାତ୍ୟା “ଦାନା”ର ପ୍ରଭାବ ଉତ୍ତର ଓଡିଶାରେ ବେଶି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ସେହି ଅନୁସାରେ ସରକାର ପ୍ରତିରୋଧକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଲେଣି।
ବାତ୍ୟାର ପ୍ରଭାବ ପୁରୀ,ଖୋର୍ଦ୍ଦା,କଟକ,କେନ୍ଦ୍ରାପଡା,ଜଗତସିଂପୁର,ଯାଜପୁର,ଭଦ୍ରକ,ବାଲେଶ୍ୱର,ମୟୁରଭଞ ଆଦି ଜିଲ୍ଲାମାନଙ୍କରେ ବିଶେଷ ପ୍ରଭାବ ରହୁଥିଲାବେଳେ କେଉଁଝର,ଅନୁଗୁଳ,ଢେଙ୍କାନାଳ ଆଦି ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଭାବ ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।ସତର୍କତା ଓ ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିଲା ବେଳେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ମାନେ ଶିଘ୍ର କୂଳକୁ ଫେରିଆସିବାକୁ ସତର୍କ କରାଯାଇଛି। ଜିଲ୍ଲାପାଳ ମାନଙ୍କ ବ୍ୟତୀତ କିଛି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବାତ୍ୟା ସମୟରେ ଏବଂ ପରେ ପରିସ୍ଥିତିକୁ ସୁପରିଚାଳନା କରିବାକୁ ଦାୟୀତ୍ୱ ଦିଆଯାଇଥିବା ଜଣାଯାଇଛି।
ବାଲେଶ୍ୱର ଦାୟୀତ୍ୱରେ ଅଛନ୍ତି ବାଲେଶ୍ୱରର ପୂର୍ବ ଜିଲ୍ଲାପାଳ କେ ଶୁଦର୍ଶନ ଚକ୍ରବର୍ତ୍ତି।ତା ସହିତ ଏନ ଡି ଆର ଏଫ,ଓ ଡି ଆର ଏ ଏଫ,ଅଗ୍ନିଶମ ବାହିନୀ ଆଦି ସୁରକ୍ଷାକାରୀ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି ଏଭଳି ଏକ ଦୈବୀ ଦୂର୍ବିପାକର ମୁକାବିଲା କରିବା ପାଇଁ।ସୂଚନା ଅନୁସାରେ ମତ୍ସ୍ୟଜୀବୀମାନେ ସତର୍କ ସୂଚନା ପାଇ କୂଳକୁ ଫେରିଆସିଲେଣି।ଆଜି ସୁଦ୍ଧା ସମୁଦ୍ରରେ ସେଭଳି କିଛି ବିପଦ ଜନକ ପରିସ୍ଥିତି କିମ୍ବା ବର୍ଷା ଅନୁଭୂତ ହେଉ ନଥିଲେ ମଧ୍ୟ ଆସନ୍ତା କାଲି ଠାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସତର୍କ କରିଛନ୍ତି ପାଣିପାଗ ବିଭାଗ।