ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥଯାତ୍ରାରେ ଯୋଗ ଦେଇପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଏଥର ରଥଯାତ୍ରାରେ ସାମିଲ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ସେ 6 ତାରିଖରୁ 4 ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି । 6 ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ 7 ତାରିଖ ସକାଳେ ପୁରୀ ଗସ୍ତ କରିବେ । ରଥଯାତ୍ରାରେ ଅଂଶଗ୍ରହଣ ସମେତ 6ରୁ 9 ତାରିଖ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିବେ । 9 ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
୭ ଓ ୮ତାରିଖ ଦୁଇ ଦିନ ରାଷ୍ଟ୍ରପତି ପୁରୀରେ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏଥିସହ ରଥଯାତ୍ରାରେ ଯୋଗ ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ତେବେ ରାଷ୍ଟ୍ରପତି ଓଡ଼ିଶା ଆସିବା ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ମିଳି ନାହିଁ। ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ।
ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯିବ। ବିଶେଷ କରି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଆଇନ ସଚିବ, ଆରଡିସି, ପୁଲିସ ବିଭାଗର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।