ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୟଦେବ ଭବନରେ ଆୟୋଜିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଆ ଭାଷାରେ AICTE ଇନଞ୍ଜିନିୟରିଂ ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି। ଏହାସହ e-KUMBH (ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ) ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଓଡ଼ିଆ ଭାଷାରେ CSTT ଦ୍ୱାରା ବିକଶିତ ଓଡ଼ିଆ ଟେକ୍ନିକାଲ ଶବ୍ଦକୋଷର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତୀୟ ଶିକ୍ଷାକୁ ଭାରତୀୟ କରିବାକୁ ହେଲେ ତାକୁ ମାତୃ ଭାଷୀୟ କରିବାକୁ ହେବ। ଏହି ପଦକ୍ଷେପ ସ୍ୱରୂପ ଆଜି ଇଂଜିନିୟରିଂ ପାଠ୍ୟକ୍ରମର ପ୍ରଥମ ବର୍ଷ ପୁସ୍ତକର ୨୦ଟି ବିଷୟ ଆଜି ଓଡ଼ିଆ ଭାଷାରେ ଶୁଭାରମ୍ଭ ହେବ। ବର୍ଷକ ତଳେ ଏନେଇ ବୁଝାମଣାପତ୍ର ସ୍ଵାକ୍ଷର ହୋଇଥିଲା। ଏକସଙ୍ଗେ 20ଟି ଇଂଜିନିୟରିଂ ପୁସ୍ତକ ଓଡ଼ିଆ ଭାଷାରେ ଅନୁବାଦ ହୋଇଛି। ଏହାଛଡ଼ା 50 ହଜାର ଟେକ୍ନିକାଲ ଶବ୍ଦକୁ ନେଇ ଓଡ଼ିଆ ଭାଷା ଶବ୍ଦକୋଷ ଶୁଭାରମ୍ଭ ହେବ। ଏମିତିକି E-KUMBH ପୋର୍ଟାଲ ଲଞ୍ଚ ହୋଇଛି। ମୋଟ 12ଟି ଭାଷା ମଧ୍ୟରୁ ଆଜିଠାରୁ 10ଟି ଭାଷାର ବହି ଏହି ପୋର୍ଟାଲରେ ଉପଲବ୍ଧ ହେବ। ଆଗକୁ ଆଉ 2ଟି ଭାଷାର ପୁସ୍ତକ ମଧ୍ୟ ପୋର୍ଟାଲରେ ମିଳିବ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେକ୍ନିକାଲ ଶିକ୍ଷାରେ ଓଡ଼ିଆ ଭାଷାର ପୁସ୍ତକ ବେଶ ପ୍ରଶଂସା କରିଥିଲେ ।
ଏହାସହ 50 ହଜାର ଟେକ୍ନିକାଲ ଶବ୍ଦ ସମ୍ବଳିତ ଓଡ଼ିଆ ଶବ୍ଦକୋଷ ଉନ୍ମୋଚିତ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଆ ଭାଷାର ପ୍ରସାର ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ନିକଟରେ ସିଭିଲ ସର୍ଭିସ ପରୀକ୍ଷାକୁ ଓଡ଼ିଆ ଭାଷାରେ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏବେ ଅନେକ ଭାଷାର ମୃତ୍ୟୁ ହୋଇଛି। କିନ୍ତୁ ଭାଷା ଯେତେ ବ୍ୟବହାର ହେବ, ସେତିକି ଉନ୍ନତ ହେବ। ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଏବେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ନିଶ୍ଚିତ ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଆହୁରି ବଢାଇବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ସେହିଭଳି ରାଷ୍ଟ୍ରପତି କହିଛନ୍ତି ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକକୁ ଉନ୍ମୋଚନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଉତ୍ତମ ପଦକ୍ଷେପ। ଏଥିଲାଗି ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପୂରା ଟିମକୁ ଅଭିନନ୍ଦନ ଜଣାଉଛି। E-KUMBH ପୋର୍ଟାଲ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ବୈଷୟିକ ଶିକ୍ଷା ଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି AICTEକୁ ଦାୟିତ୍ୱ ଦିଆଯାଇଥିଲା। ମାତୃଭାଷାରେ ପଢ଼ୁଥିବା ପିଲାଙ୍କ ବୌଦ୍ଧିକ ବିକାଶ ଭଲ ହୋଇଥାଏ। ତେଣୁ ଭାରତୀୟ ଭାଷା ରେ ଶିକ୍ଷାଦାନ ଦେଶର ବିକାଶ ସହ ସଂସ୍କୃତିର ବିକାଶ କରାଇବ। ଯେତେ ଭାଷା ପାରୁଛ ଶିଖ, ନିଜ ମାତୃଭାଷା ମହତ ରଖ ବୋଲି ମଧ୍ୟ ରାଷ୍ଟ୍ରପତି କହିଥିଲେ।