ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦି ସିଧା ରାଜଭବନ ଯାଇଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ସଂଧ୍ୟାରେ ଜନତା ମୈଦାନରେ ହେବାକୁ ଥିବା ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି ।
ଶପଥ ସମାରୋହରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ମୋଟ ୬୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳ ସମ୍ପୂର୍ଣ୍ଣ ସଭାସ୍ଥଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୁରକ୍ଷା ଦାୟିତ୍ୱକୁ ୩ଟି ଭାଗରେ ବିଭକ୍ତ କରାଯାଇ ବିଶେଷକରି ଜଣେ ଆଇଜି ଓ ଦୁଇ ଡିଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି। ଶପଥ ଗ୍ରହଣ ଉତ୍ସବ ସ୍ଥଳ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଆଇଜି (ପର୍ସନାଲ) ପ୍ରବୀଣ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ବିମାନ ବନ୍ଦର ଦେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଓ ବରିଷ୍ଠ ବ୍ୟକ୍ତିବିଶେଷମାନେ ଆସିବେ।
ତେଣୁ ବିମାନବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦର ସୁରକ୍ଷାରେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ରହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମନମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହୋଇଥିଲା । ଏହାପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ । ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିଛନ୍ତି ।