ମହାକାଳ ମନ୍ଦିରର ଗର୍ଭଗୃହରେ ୭୦ ଦିନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରର ଗର୍ଭଗୃହରେ ୭୦ ଦିନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ କୌଣସି ଭିଆଇପିଙ୍କୁ ମଧ୍ୟ ପ୍ରବେଶ ମିଳିବ ନାହିଁ। ଏହି କଟକଣା ଆସନ୍ତା ଜୁଲାଇ ୪ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଲାଗୁ ରହିବ ।

ସେହିପରି ଜୁଲାଇ ୧୧ତାରିଖରୁ ଉଜୟିନୀର ପର୍ଯ୍ୟଟକମାନେ ଏକ ଅଲଗା ଗେଟ୍ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଶ୍ରୀ ମହାକାଳେଶ୍ୱର ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିଚାଳନା କମିଟିବୈଠକ ଶ୍ରୀ ମହାକାଳ ମହାଲୋକ ନିୟନ୍ତ୍ରଣ କକ୍ଷରେ ଜିଲ୍ଲାପାଳ ତଥା ସଭାପତି କୁମାର ପୁରୁଷୋତ୍ତମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜୁଲାଇ ୪ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ମହାକାଳେଶ୍ୱର ଭଗବାନଙ୍କ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ସମୟରେ ୧୫୦୦ ଟଙ୍କାର ଜଳାଭିଷେକ ମଧ୍ୟ ବନ୍ଦ ରହିବ। ଏଥିସହ ଶ୍ରଦ୍ଧାଳୁଙ୍କ ସହଜ ଓ ସୁଲଭ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ସମସ୍ତ ଶ୍ରଦ୍ଧାଳୁ ସହଜରେ ଦର୍ଶନ କରିପାରିବେ । ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରାବଣ-ଭାଦ୍ରବ ମାସରେ କାଓ୍ବଡ଼ିଆଙ୍କ ଦ୍ବାରା ପ୍ରବଳ ଭୀଡ଼ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.