ତମର ଆୟକର ଚଢାଉ ତ ଆମର ସିଟି ଜିଏସଟି ଚଢାଉ, ପଦ୍ମପୁରରେ ଚାଲିଛି ରେଡ଼ ରାଜନୀତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁରରେ ଆଜି ସକାଳେ କେନ୍ଦ୍ରୀୟ ସଂସ୍ଥା ଆୟକର ବିଭାଗ ପକ୍ଷରୁ ବିଜେଡି ସମର୍ଥିତ ତିନି ବ୍ୟବସାୟୀଙ୍କ ଉପରେ ଚଢ଼ଉ ହୋଇଥିଲା । ଦିନତମାମ ଚଢ଼ଉ ଜାରି ରହିଛି । ଆଉ ସଂଧ୍ୟାରେ ରାଜ୍ୟ ଜିଏସଟି ପକ୍ଷରୁ ବିଜେପି ନେତାଙ୍କ ମାଲିକାନାରେ ଥିବା ୮ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ହୋଇଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜିର ଏହି ଦୁଇଟି ଯାକ ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ପ୍ରଥମ ଘଟଣା ଆୟକର ରେଡ୍ ରେ ପଡ଼ିଛନ୍ତି ବହିଦାରପଡ଼ାର ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜାନନ୍ଦ ଅଗ୍ରୱାଲ୍ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଏମାନେ ଖାସ୍ ଲୋକ । ସିଆରପିଏଫ ଯବାନଙ୍କ ଘେରିରେ ଚଢ଼ଉ ଏବେ ବି ଜାରି ରହିଛି ।
ଅନ୍ୟପକ୍ଷରେ ଆଜି ସଂଧ୍ୟାରେ ରାଜ୍ୟ ଜିଏସଟି ବିଭାଗ ପକ୍ଷରୁ ଟିକସ ଫାଙ୍କି ଅଭିଯୋଗରେ ବରଗଡ଼ ଜିଲ୍ଲାର ୮ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପେଟ୍ରୋଲ୍ ପମ୍ପ ଉପରେ ଚଢ଼ଉ କରାଯାଇଛି । ବରଗଡ଼, ପଦ୍ମପୁର, ପାଇକମାଳ, ଝାରବନ୍ଧ ଏବଂ ବରେଇକେଲରେ ଥିବା ଏସବୁ ପ୍ରତିଷ୍ଠାନ ବିଜେପି ନେତାଙ୍କ ମାଲିକାନାରେ ରହିଛି ।
ସେଗୁଡ଼ିକ ହେଲା- ସୁନୀଲ ଅଗ୍ରୱାଲ୍ ଙ୍କ ପଦ୍ମପୁର ଜଗଦମ୍ବା କ୍ଲଥ୍ ଷ୍ଟୋର, ବରଗଡ଼ ସହରରେ ଥିବା ସୁନୀଲଙ୍କ ଘର, ଗୋବର୍ଦ୍ଧନ ଅଗ୍ରୱାଲ୍ ଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ, ଗୋବର୍ଦ୍ଧନଙ୍କ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋର୍, ଓମପ୍ରକାଶ ଅଗ୍ରୱାଲ୍ ଙ୍କ ପଦ୍ମପୁର ମୀନାକ୍ଷୀ ଜୁଏଲାରୀ, ରାଜେଶ ସାହୁଙ୍କ ବରେଇକେଲଗ୍ୟାସ୍ ଏଜେନ୍ସୀ ଏବଂ ଝାରବନ୍ଧର ବିକାଶ ହାର୍ଡୱେର୍ ।
ଗୋବର୍ଦ୍ଧନ ଅଗ୍ରୱାଲ୍ ଙ୍କ ପୁତୁରା ହେଉଛନ୍ତି ସୁନୀଲ ଅଗ୍ରୱାଲ୍ । ସୁନୀଲ ହେଉଛନ୍ତି ପଦ୍ମପୁର ନଗର ବିଜେପି ସଭାପତି । ତାଙ୍କ ବାପା ପଦ୍ମପୁରର ନଗରପାଳ ଥିଲେ । ମୀନାକ୍ଷୀ ଜୁଏଲାରୀ ମାଲିକ ହେଉଛନ୍ତି ଓମ୍ ପ୍ରକାଶ ଅଗ୍ରୱାଲ୍ । ବିଜେପୁର ଉପନିର୍ବାଚନ ବେଳେ ଏକ କାର୍ ରେ ୫୦ ଲକ୍ଷ ୪୦ ହଜାର ଟଙ୍କା ନେଉଥିଲା ବେଳେ ତାଙ୍କର ବଡ଼ପୁଅ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ ।
ପଦ୍ମପୁରରେ ସୁନୀଲ ଅଗ୍ରୱାଲ୍ ଙ୍କ କ୍ଲଥ୍ ଷ୍ଟୋର ରେଡ୍ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱରରୁ ଯାଇଥିବା ବିଜେପି ନେତା ଠାକୁର ରଣଜିତ୍ ସିଂ, କାଳିନ୍ଦୀ ସାମଲ, ପିଙ୍କି ପ୍ରଧାନ ପ୍ରମୁଖ ସମର୍ଥକମାନଙ୍କୁ ଧରି ସେହି ଦୋକାନ ଭିତରେ ପଶିଥିଲେ । ଆଇନ ଶୃଙ୍ଖଳା ସମ୍ଭାଳୁଥିବା ପଦ୍ମପୁର ଏସଡିପିଓଙ୍କ ବାରଣ ସତ୍ତ୍ୱେ ସେମାନେ କପଡ଼ା କିଣିବା ବାହାନା କରିଥିଲେ । ଜିଏସଟି ଚଢ଼ଉରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ଦୁଇଟି ରେଡ୍ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଉଭୟ ବିଜେଡି ଏବଂ ବିଜେପି ଏହାକୁ ପ୍ରତିଶୋଧପରାୟଣ ରାଜନୀତି ବୋଲି ପରଷ୍ପରକୁ ଦୋଷାରାପ କରିଛନ୍ତି । ଆଗକୁ ଏହା ଆହୁରି ରୋଚକ ମୋଡ଼ ନେବ ବୋଲି କୁହାଯାଉଛି

Leave A Reply

Your email address will not be published.