ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉପଦ୍ରବ କରୁଛନ୍ତି ମୂଷା। ମୂଷାଙ୍କୁ ଦେଖି କର୍ତ୍ତୃପକ୍ଷ ଚିନ୍ତା ବି ବଢ଼ିବାରେ ଲାଗିଲାଣି । ଏଥିପାଇଁ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଉଛି । ମେଡିକାଲରେ ଲାଗିଛି ୨୦ ଯନ୍ତା । ଯନ୍ତାରେ ମୂଷା ପଡ଼ିବାର କ୍ଷଣି ଅନ୍ୟତ୍ର ସ୍ଥାନକୁ ନେଇ ଛାଡ଼ି ଦିଆଯାଉଛି । ଏପରିକି ରୋଗୀଙ୍କ ବେଡକୁ ଆସି ମୂଷା କାମୁଡୁଥିବା ଅଭିଯୋଗ ହୋଇଛି।
ଫଳରେ ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ମୂଷାମାନେ ଡାକ୍ତରଖାନେରେ ବିଭିନ୍ନ ଜିନିଷପତ୍ର କାଟି ନଷ୍ଟ କରି ଦେଉଛନ୍ତି। ମୂଷାଙ୍କ ଦାଉରୁ ରକ୍ଷା ଲାଗି ମେଡିକାଲ କର୍ତ୍ତୃପକ୍ଷ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ମୂଷାକୁ ଧରିବା ଲାଗି ହସ୍ପିଟାଲରେ ଯନ୍ତା ବସାଯିବା ସହ ସ୍ୱତନ୍ତ୍ର ଅଠା ବ୍ୟବହାର କରାଯାଉଛି। ଏ ପ୍ରସଙ୍ଗରେ ମେଡିକାଲ୍ କଲେଜର ଅଧିକ୍ଷକଙ୍କ କହିବା କଥା, ମୂଷା ଉପଦ୍ରବ ପୂର୍ବ ଅପେକ୍ଷା ଅଧିକ ବଢ଼ିଛି । ମୂଷା ଆସୁଥିବା ସ୍ଥାନ ଗୁଡିକୁ ମରାମତି କରି ବନ୍ଦ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି । ହେଲେ ବିଭାଗ ଏହାକୁ ଏତେଟା ଗୁରୁତ୍ଵ ଦେଉ ନାହିଁ ।
ଫଳରେ ବାଧ୍ୟ ହୋଇ ମୁଷା ଯନ୍ତା ଲଗାଯାଇ ମୂଷା ଧରା ଯାଉଛି । ଆଗକୁ ଟେଣ୍ଡର ମାଧ୍ୟମରେ ମୂଷା ନିପାତ କରିବାକୁ ପ୍ଲାନ ହୋଇଛି ବୋଲି କହିଛନ୍ତି ଅଧିକ୍ଷକ । କୋରାପୁଟ୍ ମେଡିକାଲ ସୁପରିନଟେଣ୍ଡେଣ୍ଟ, ସୁଶାନ୍ତ କୁମାର ସାହୁ କହିଛନ୍ତି,ମୂଷା ଉପଦ୍ରବ ନେଇ ପିଡ୍ଲ୍ୟୁଡିକୁ ଲେଖିକି ଦେଇଛୁ। ଏଥିସହ ଆମେ ମୂଷା ଗାତ ବନ୍ଦ କରିବା ସହ ମୂଷା ମାରିବା ଔଷଧ ଓ ଯନ୍ତା ବସାଯାଉଛି।