ପାଖେଇ ଆସୁଛି ଘୋଷ ଯାତ୍ରା, ଦର୍ପଦଳନ ରଥରେ ଫାଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମଝିରେ ଆଉ ୨ ଦିନ ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ। ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି। ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି।

ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। ତେଣୁ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି, ଉଛୁଳା ଅଖରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଏବେ ବି ସମୟ ଅଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉ। ନ ହେଲେ ଅଘଟଣ ଘଟିପାରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ। ନ ହେଲେ କୌଣସି ଅଘଟଣ ପାଇଁ ସେମାନେ ହିଁ ଦାୟୀ ରହିବେ।

 ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି। ତେବେ ରଥ ଯାଞ୍ଚ କମିଟି ଏହାର ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। ଏଣେ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.