ଏବର୍ଷ ଜୁନରେ ନିଅଣ୍ଟିଆ ବର୍ଷା ରେକର୍ଡ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚଳିତ ବର୍ଷ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଛି ମୌସୁମୀ ବ‌ାୟୁ ।  ଏହା ସତ୍ତ୍ୱେ ୧୨ ଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ନିଜର ଦୁର୍ବଳ ପ୍ରଦର୍ଶନ ଜାରି ରଖିଛି। ଗତ ୮ ତାରିଖରେ ମୌସୁମୀ କେରଳ ଛୁଇଁବା ପରେ ଏହା ଏବେ ସମଗ୍ର ଦକ୍ଷିଣ ଭାରତ ସହ ଦେଶର ଅଧିକାଂଶ ସ୍ଥାନକୁ ଅଗ୍ରସର ହୋଇଛି।

ହେଲେ ଏବେ ବି ଅନେକ ସ୍ଥାନରେ ମୌସୁମୀ ସକ୍ରିୟ ହୋଇନାହିଁ। ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ, ମୌସୁମୀ ଯେଉଁଠାରେ ସକ୍ରିୟ ହୋଇଛି ସେଠାରେ ଭଲ ବର୍ଷା ହେଉନାହିଁ। ଫଳରେ ସାରା ଭାରତରେ ଜୁନ୍‌ ମାସରେ ବର୍ଷାକୁ ନେଇ ଏକ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି।

୨୦୨୩ରେ ଏଲ୍‌-ନି‌ନୋ ପ୍ରଭାବରେ ମୌସୁମୀ ବର୍ଷାର ଦୁର୍ବଳ ପ୍ରଦର୍ଶନ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା, ତାହା ଏବେ ବାସ୍ତବରେ ଦେଖାଗଲାଣି। ପାଣିପାଗ ବିଜ୍ଞାନୀ କହୁଛନ୍ତି ଯେ ସାଧା‌ରଣତଃ ଏଲ୍‌-ନିନୋ ବର୍ଷଗୁଡ଼ିକରେ ମୌସୁମୀ ବର୍ଷା କମିଯାଇଥାଏ। ହେଲେ ଜୁନ୍‌ ମାସର ନିଅଣ୍ଟିଆ ବର୍ଷାର ସ୍ଥିତି ପୂରା ମୌସୁମୀ ଋତୁକୁ ସବୁବେଳେ ପ୍ରଭାବିତ କରେ ନାହିଁ । ଆଇଏମ୍‌ଡି ତଥା ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ତଥ୍ୟ କହୁଛି, ଅଧିକାଂଶ ସମୟରେ ଦେଖିବାକୁ ମିଳିଛି ଯେ ଜୁନ୍‌ ମାସର ନିଅଣ୍ଟିଆ ବର୍ଷା ଜୁଲାଇ ଓ ଅଗଷ୍ଟ ମାସରେ ହିଁ ଭରଣା ହୋଇଯାଏ। ଗତ ୨୦ ବର୍ଷର ତଥ୍ୟ ବି ଏମିତି କହୁଛି। ଏହି ରିପୋର୍ଟ କହୁଛି, ୨୦୦୫, ୨୦୦୬, ୨୦୧୦, ୨୦୧୨, ୨୦୧୬, ୨୦୧୯ ଓ ୨୦୨୨ ମସିହାରେ ଜୁନ୍‌ ମାସରେ ଯଥାକ୍ରମେ ଦେଶରେ ୧୨%, ୯%, ୧୫%, ୨୭%, ୧୧%, ୩୧% ଓ ୮% ଲେଖାଏଁ ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ସୁଦ୍ଧା ଜୁଲାଇ ଓ ଅଗଷ୍ଟର ବଳକା ବର୍ଷା ଏହି ନିଅଣ୍ଟ ବର୍ଷା ସ୍ଥିତିର ଭରଣା କରିଥିଲା। ଅନ୍ୟପକ୍ଷରେ ୨୦୨୩ ଜୁନ୍‌ ମାସରେ ବିଳମ୍ବିତ ମୌସୁମୀ ବା ନିଅଣ୍ଟିଆ ବର୍ଷା ଖରିଫ୍‌ ଫସଲ ବୁଣିବା କାର୍ଯ୍ୟକୁ ବିଳମ୍ବ କରିଛି। ହେଲେ କିଛି କୃଷି ବିଜ୍ଞାନୀ ମତ ରଖୁଛନ୍ତି ଯେ ବର୍ଷା ବିଳମ୍ବ ହେଲେ ମଧ୍ୟ କ୍ଷତିକାରକ ନୁହେଁ।

ଏମିତିରେ ବି ୨୦୨୩ର କୃଷି ଋତୁ କହୁଛି, ରବି ଫସଲର ଅମଳ ଏପ୍ରିଲରେ ହେବା ବଦଳରେ କିଛି ବିଳମ୍ବ ହୋଇଛି। ଫଳରେ ଖରିଫ ଫସଲ ବୁଣିବା କାର୍ଯ୍ୟ ବିଳମ୍ବ ଅତ୍ୟନ୍ତ ସାଧାରଣ କଥା। ଆଉ ଗୋଟିଏ ମହଲ କହୁଛନ୍ତି ଯେ ମୌସୁମୀ ବର୍ଷା ବିଳମ୍ବ ଓ ନିଅଣ୍ଟ ଫଳରେ ମାଟି ଶୁଖିଯାଏ। ତେଣୁ ଅଧିକାଂଶ ଚାଷ ପାଇଁ ଆମକୁ ଜଳସେଚନ ଉପରେ ନିର୍ଭର କରିବାକୁ ପଡ଼ିଥାଏ।

ଓଡ଼ିଶାରେ କିମ୍ବା ଦେଶର ଅଧିକାଂଶ ସ୍ଥାନର ଚାଷ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ହୋଇଥିବାରୁ ଚାଷ ଉପରେ ଏହାର ପ୍ରଭାବ ଅଧିକ ପଡ଼ିବା ସହ ଆମ ଗ୍ରାମୀଣ ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହେବ। ଓଡ଼ିଶା ଭଳି କୃଷିପ୍ରଧାନ ସ୍ଥାନ‌ରେ ମୌସୁମୀଜନିତ ବିଳମ୍ବିତ ତଥା ନିଅଣ୍ଟ ବର୍ଷା ରାଜ୍ୟ ବିକାଶର ବାଟ ଓଗାଳିବ ବୋଲି କୁହାଯାଉଛି।

Leave A Reply

Your email address will not be published.