ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଡ୍ୟାମ୍ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି, ଆଉ ଏବେ ପାଣିର ସ୍ତର ବି ୬୩୦ ଫୁଟ୍ ରହିଛି । ଅର୍ଥାତ ଏବେ ପୂରାପୂରି ଭର୍ତ୍ତି ହୋଇଛି ଡ୍ୟାମ୍।
ଏଥିସହିତ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୫୬, ୩୯୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ତେବେ ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ପୂରିବାରେ ଲାଗିଛି । ଏବେ ଏହାକୁ ନେଇ ଆଶଙ୍କା ଦେଖା ଦେଇଛି କି ପୁଣି ହୀରାକୁଦ ଗେଟ୍ ଖୋଲିପାରେ । ଏହା ଦ୍ବାରା ନଦୀ ନାଳରେ ଜଳସ୍ତର ବଢିପାରେ । ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି ଓ ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି।
ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି, ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି। ତେଣୁ ସବୁ ଗେଟ୍ ବନ୍ଦ କରାଯାଇଛି। ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍ ଖୋଲା ଯାଇପାରେ। ତେବେ ଅଧିକ ବର୍ଷା ହେବନି ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।