ପ୍ରଚଣ୍ଡ ଗରମରୁ ମିଳିପାରେ ଆଶ୍ବସ୍ତି, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ।  ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି । କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି । ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି । କାରଣ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଜୁନ୍ ୨୩ ରେ ସେହି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରଦିନ ଅର୍ଥାତ୍ ୨୪ ଜୁନରେ ଏହା ଏକ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ମୌସୁମୀକୁ ଓଡ଼ିଶାକୁ ଟାଣିଆଣିବ ବୋଲି ସ୍କାଏମେଟ କହିଛି। ଏହି ଲଘୁଚାପ ଓଡ଼ିଶା ଦେଇ ମଧ୍ୟଭାରତକୁ ଗତି କରି ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଅତିକ୍ରମ କରିବ ଓ ଧୀରେ ଧୀରେ ଦୁର୍ବଳ ହୋଇ

ରାଜସ୍ଥାନ ଓ ଗୁଜରାଟରେ ପହଞ୍ଚିବ ଓ ମଧ୍ୟମ ଧରଣର ବର୍ଷା କରିବ ।ଭାରତୀୟ ପାଣିପାଗର ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଆଉ କେତେକ ଅଂଚଳ, ଉତ୍ତର-ପଶ୍ଚିମ ପଶ୍ଚିମବଙ୍ଗ ଓ ଗାଙ୍ଗେୟ ପଶ୍ଚିମ ବଙ୍ଗର କିଛି ଅଂଶରେ ପ୍ରବେଶ କରିଛି। ଆଗାମୀ ୨-୩ ଦିନରେ ଏହା ଓଡ଼ିଶାରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ।

 

Leave A Reply

Your email address will not be published.