ଗାଁ ଗାଁରୁ ସଂଗ୍ରହ କରାଯିବ ଚାଉଳ ଓ ଗୁଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆଉ କିଛି ଦିନ ବାକି ରହିଥିବା ବେଳେ, ଏହାକୁ ନେଇ ସାରା ରାଜ୍ୟରେ ଉତ୍ସବ ମୁଖର ଦେଖିବାକୁ ମିଳିଛି | ଏହା ସହ ଆରମ୍ଭ ହୋଇଛି ପ୍ରତି ବ୍ଲକ ରେ ଜଗନ୍ନଥ ଅର୍ପଣ ରଥ |

ଏହି ରଥ ପ୍ରତି ପଂଚାୟତରେ ଓ ପ୍ରତି ଗାଁ ରେ ଏହି ପରିକ୍ରମା ରଥ ବୁଲି ଭକ୍ତଙ୍କ ଠାରୁ ମହାପ୍ରଭୁ ଙ୍କ ଉଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବ ଏହି କ୍ରମରେ କଟକ ଜିଲ୍ଲା ନିଆଳି ବ୍ଳକ ପରିସରରେ ଚାରୋଟି ଜୟ ଜଗନ୍ନାଥ ଅର୍ପଣ ରଥକୁ ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଛି । ସେହିପରି କଣ୍ଟାପଡ଼ା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନମାନଙ୍କରେ ମଧ୍ୟ ଏହି କାର୍ଯ୍ଯକ୍ରମ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ନିଆଳି ବ୍ଳକର ଅଁଳୋ, ଅଲଣା, ଏରଞ୍ଚ ଏବଂ ନିର୍ଭରଣରେ ଏହି ପରିକ୍ରମା କରିଛି । ଝୋଟି ମୂରୁଜ ପକାଇ ରଥକୁ ମହିଳାମାନେ ସ୍ବାଗତ କରିଥିବା ବେଳେ ସଙ୍କୀର୍ତ୍ତନ ମଣ୍ତଳିମାନେ ସଙ୍କୀର୍ତ୍ତନ ଶୋଭାଯାତ୍ରାରେ ରଥ ଗୁଡିକୁ ପାଛୋଟି ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନିଆଳି ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲ୍ଲାସ ଚନ୍ଦ୍ର ସେଠି, ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଆଦିତ୍ୟ ପାଣିଙ୍କ ସମେତ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଏହି ରଥ ବ୍ଲକ ଅଞ୍ଚଳର ୨୩ଟି ପଞ୍ଚାୟତ ପରିକ୍ରମା କରିବ । ଘରକୁ ଘର ଯାଇ ପ୍ରତି ପରିବାରରୁ ଅକ୍ଷତ ଚାଉଳ ଏବଂ ଗୁଆ ସଂଗ୍ରହ କରି ପ୍ରତି ପଞ୍ଚାୟତର ମନ୍ଦିରରେ ରଖାଯିବ । କାର୍ଯ୍ଯକ୍ରମର ଉଦଯାପନୀ ଦିବସରେ ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରେ ସମସ୍ତ ଅକ୍ଷତ ଗୁଡିକୁ ଅଣାଯାଇ ସେଠାରୁ ପୁରି ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.