ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗରୁ ବିଦା, ଅତନୁ ସବ୍ୟସାଚୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁ ସବ୍ୟସାଚୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ। ଅତନୁ ସବ୍ୟସାଚୀଙ୍କୁ ମିଳିଲା ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ପାଇଁ ସୁପାରିସ୍ ଦେଇଥିବା ସୂଚନା ମିଳିଛି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାରଦର୍ଶିତା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା । ଉପାନ୍ତ ଅଞ୍ଚଳରେ ନୂଆ କଲେଜ ଖୋଲିପାରିନି। ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ସଠିକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି କିଛି ଦିନ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । NIRF ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି । ୨୦୦୦ ମସିହାରୁ ୨୦୨୩ ମଧ୍ୟରେ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୬ରୁ ୧୮କୁ ବୃଦ୍ଧି ପାଇଛି ।

ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ଧରଣର ପ୍ରଶାସନିକ ଓ ଶିକ୍ଷାଗତ ସଂସ୍କାର ଆରମ୍ଭ କରିଛନ୍ତି । ଏଥିପାଇଁ ବଜେଟରେ ୩ ହଜାର ଶହେ ୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୁରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତାରେ OHEPEE ଯୋଜନାରେ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଭିତ୍ତିଭୂମିର ବିକାଶ ପାଇଁ ଓ ମୋ କଲେଜ ଅଭିଯାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ ଏସବୁ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି । ତାଙ୍କର ପ୍ରଦର୍ଶନ ଭଲ ନଥିବାରୁ ରୋହିତଙ୍କୁ ବାଦ୍‌ ଦିଆଯାଇଥିବା କୁହାଯାଉଛି ।.

Leave A Reply

Your email address will not be published.