ଓଡ଼ିଆ ନ୍ୟୁଜ୍: ରାଉରକେଲା ପୁଲିସ ବଡ଼ ଆକ୍ସନ୍। ତୋଫାନ ହତ୍ୟା ମାମଲରେ ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର। ଏହି ମାମଲାରେ ଏଯାଏଁ ଗିରଫ ହୋଇଥିବା ୬ ଅଭିଯୁକ୍ତ, ଉମାକାନ୍ତ ହରିପ୍ପା ଓ ଚିନୁ ହରିପ୍ପା, ତିଲକ ନାଏକ ଓ ହରିଶଙ୍କର ନାଏକ (ଦୁଇ ଯୋଡ଼ା ଭାଇ) ଏବଂ ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାଙ୍କ ଘର ଭଙ୍ଗାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୁଲିସ ଓ ଆର୍ଏସ୍ପି ଟିମ୍ ଗୁରୁବାର ପୂର୍ବାହ୍ଣ ୧୧ଟାରେ ସେକ୍ଟର-୫, ନାରାୟଣପାଲି ବସ୍ତିରେ ପହଞ୍ଚିଥିଲେ। ଯୋଜନା ମୁତାବକ ଘର ଭାଙ୍ଗିବାକୁ ପୁଲିସ ପ୍ରସ୍ତୁତ ହେବା ପୂର୍ବରୁ ତିଲକ ନାଏକ ଓ ହରିଶଙ୍କର ନାଏକଙ୍କ ବଡ଼ ମା’ ଏବଂ ଜେଜେମା’ ସେକ୍ଟର-୭ ଥାନା ଆଇଆଇସିଙ୍କୁ ଘର ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଉଭୟ ହତ୍ୟା ଅଭିଯୁକ୍ତ ଜେଜେମା’ଙ୍କ ସହ ରହୁଥିବାରୁ ତାଙ୍କ ଘର ଭଙ୍ଗାଯାଇଥିଲା। ବଡ଼ ମା’ଙ୍କ ପରିବାର ସହ ଅଭିଯୁକ୍ତଙ୍କ ପରିବାରର ସମ୍ପର୍କ କଟାକଟି ହୋଇଯାଇଥିବାରୁ ତାଙ୍କ ଘର ଭଙ୍ଗାଯାଇନଥିଲା।
ପ୍ରଥମେ ତିଲକ ଓ ହରିଶଙ୍କରର ଘର ଭାଙ୍ଗିବା ପରେ ଚିନୁ ହରିପ୍ପା, ଉମାକାନ୍ତ ହରିପ୍ପା, ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାର ଘର ଭଙ୍ଗାଯାଇଥିଲା। ନାରାୟଣପାଲି ଓ ଗୋଲଘରରେ ଘର ଭାଙ୍ଗିବା ପାଇଁ ଆର୍ଏସ୍ପି ତରଫରୁ ବୁଲ୍ଡୋଜର ଅଣାଯାଇଥିଲା। କିନ୍ତୁ ସମସ୍ତ ଘର ବସ୍ତିଭିତରେ ଓ ସଂକୀର୍ଣ୍ଣ ଗଳିରେ ରହିଥିବାରୁ ବୁଲ୍ଡୋଜର ପଶିପାରି ନଥିଲା। ତେଣୁ ଆର୍ଏସ୍ପି ଲ୍ୟାଣ୍ଡ ଗାର୍ଡ ଟିମ୍ର ୨୦ରୁ ଅଧିକ କର୍ମଚାରୀ ଶାବଳ ମାରି ଘରଗୁଡ଼ିକ ଭାଙ୍ଗିଥିଲେ। ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ ବୁଲଡୋଜର ବ୍ୟବହାର ନହୋଇ ଫେରିଯାଇଥିଲା।