ଚନ୍ଦ୍ରରେ ତଥ୍ୟ ସାଉଣ୍ଟୁଛି ରୋଭର ‘ପ୍ରଜ୍ଞାନ’

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ଏବେ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି ରୋଭର ପ୍ରଜ୍ଞାନ୍ । ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର‌)ରେ କୁହାଯାଇଛି, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରରେ ଭାରତ ପ୍ରଥମ ପଦଚାରଣ କରିବାରେ ସଫଳ ହୋଇଛି।’ ମିସନ ସମ୍ବନ୍ଧରେ ଆଗକୁ ନିୟମିତ ଅପ୍‌ଡେଟ୍ ଦିଆଯିବ ବୋଲି ଇସ୍ରୋ କହିଛି। ରୋଭର ହେଉଛି ଏକ ମାଇକ୍ରୋୱେଭ୍ ଓଭେନ୍‌ ଆକାରର ଯନ୍ତ୍ର। ଏହାକୁ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର (୧,୬୪୦ ଫୁଟ୍‌) ପର୍ୟ୍ୟନ୍ତ ଚାଲିବା ପାଇଁ ଡିଜାଇନ କରାଯାଇଛି। ଏହା ଚନ୍ଦ୍ରର ଭୂତତ୍ତ୍ବ, ଖଣିଜତତ୍ତ୍ବ ଓ ବାୟୁମଣ୍ଡଳ ଉପରେ ପରୀକ୍ଷାନିରୀକ୍ଷା କରିବ। ଏହା ୧୪ ଦିନ ପର୍ୟ୍ୟନ୍ତ କାମ କରିବ। ଏହି ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ସଂପର୍କରେ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥାପିତ ହେବାରେ ‘ପ୍ରଜ୍ଞାନ’ ହେଉଛି ଏ ଧରଣର ପ୍ରଥମ ରୋଭର। ଏଥିରେ କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମ୍ୟାଗ୍ନେଟୋମିଟର ଆଦି ଅନେକ ଯନ୍ତ୍ର ଖଞ୍ଜାଯାଇଛି। ଏହା ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ମୃତ୍ତିକାର ଗଠନ, ଖଣିଜତତ୍ତ୍ବ ଓ ଇତିହାସ ଆଦି ଉପରେ ଗବେଷଣା କରିବ। ଏହା ଚନ୍ଦ୍ରରେ ଗୋଟିଏ ଦିନ ବା ପୃଥିବୀର ୧୪ ଦିନ ଯାଏ କାର୍ୟ୍ୟ କରିବ।

Leave A Reply

Your email address will not be published.