ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଧାବିକା ଦୂତିଚାନ୍ଦ ଡୋପ ଟେଷ୍ଟରେ ଫେଲ ମାରିବା ପରେ ତାଙ୍କ ଉପରେ ୪ବର୍ଷର ବ୍ୟାନ ଲାଗିଥିଲା । ସେ କୌଣସି ଜାତୀୟ ଅନ୍ତର୍ଜାତୀୟ କ୍ରୀଡାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ନାଡା ଦ୍ୱାରା ନିଷିଦ୍ଧ ଘୋଷିତ ଏସଆରଏମଏସ୍ ତାଙ୍କ ନମୁନାରେ ମିଳିଛି । ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ୱୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିବା ବେଳେ ତାହାର ଲେଭଲ୍କୁ ଯାଞ୍ଚ କରିନ ନ ଥିବା କହିଥିଲେ। ଏହାଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ତେବେ ଆଜି ଦୂତୀ ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମୁଁ ଲେଭଲ ୱାନ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିଲି । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରିଥିଲି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ମୋତେ ଜଣା ନଥିଲା ବୋଲି କହିଛନ୍ତି ଦୂତୀ।
ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଦୂତୀ ଚାନ୍ଦ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏଥିସହ ନାଡା ପକ୍ଷରୁ ଲଗା ଯାଇଥିବା ବ୍ୟାନକୁ ହଟାଇବାକୁ ବି ଅପିଲ କରିଛନ୍ତି ।
ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାମଧ୍ୟରେ କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛନ୍ତି ନାଡା। ଗତ ୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ୟ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତୀ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ଅଉଅଚ ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଦୁଇଥର ଦୂତୀଙ୍କର ପରୀକ୍ଷା କରାଯାଇଥିଲା। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍, ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା।