ଟଙ୍କା ଫେରି ପାଇବେ ସାହାରା ଜମାକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଭାବୀ ଗରିବ ଜନସାଧାରଣ ମୂଲ ଲାଗି, ଦୋକାନ କରି ନିଜ ପୁଅ ପାଠପଢା ଓ ଝିଅ ବାହାଘର ପାଇଁ ସାହାରା ଶାଖାରେ ଟଙ୍କା ଜମା କରିଥିଲେ ଲୋକେ। ମାତ୍ର ପଲିସି ହିସାବରେ ଡ୍ୟୁ ଡେଟ୍ ପୁରିଥିଲେ ବି ଜମାରାଶି ଫେରି ପାଇପାରିନଥିଲେ ଲୋକେ। ତେବେ ଏହାରି ମଧ୍ୟରେ ସାହାରା ଇଣ୍ଡିଆରେ ଟଙ୍କା ଜମାରଖିଥିବା ଲୋକମାନଙ୍କ ପାଇଁ ବଡ଼ ଖବର । ସେମାନଙ୍କର ବର୍ଷ ବର୍ଷ ଧରି ଫସି ରହିଥିବା ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅଧୀନରେ ସେବି ନିକଟରେ ଜବତ ହୋଇଥିବା ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ। ବିଗତ ଅନେକ ବର୍ଷ ଧରି ଏହି ଟଙ୍କା ଅଟକି ରହିଥିବା ବେଳେ ସାଧାରଣ ଜମାକାରୀମାନେ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସେମାନଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଦେଇଛି । ୨୦୧୨ ଅଗଷ୍ଟମାସରେ ସୁପ୍ରିମ୍ କୋର୍ଟ ସାହାରା ଗ୍ରୁପ୍ ର ଦୁଇଟି କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ୍ (ଏସ୍ ଆଇଆର୍ ଇସିଏଲ୍) ଏବଂ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ୍ ଲିମିଟେଡ୍ (ଏସ୍ ଆଇସିଏଲ୍)କୁ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏସ୍କ୍ରୋ ଆକାଉଣ୍ଟ୍ ଖୋଲାଯାଇଥିଲା। ଏହା ଅଧୀନରେ ୨୪ ହଜାର କୋଟି ଟଙ୍କା ଜମା କରାଯାଇଥିଲା । ସେହି ଆକାଉଣ୍ଟରୁ ଜମା ହୋଇଥିବା ଟଙ୍କା ନିବେଶକଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜଷ୍ଟିସ୍ ଏମ୍ ଆର୍ ଶାହା ଓ ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ସାହାରା ଗ୍ରୁପ୍ ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଏହି ଅର୍ଥ ବଣ୍ଟନ କରାଯିବ । ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀ ନଜର ରଖିବେ।

ସାହାରାରେ ଲୋକଙ୍କର ଫଶି ରହିଥିବା ଜମା ଅର୍ଥକୁ ନେଇ ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏ ବାବଦରେ ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖିଥିଲେ । ତେବେ କେନ୍ଦ୍ର ସରକାରଙ୍କର ଏହି ବଡ଼ ପଦକ୍ଷେପ ଫଳରେ ଏବେ କୋଟି କୋଟି ନିବେଶକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଏ କ୍ଷେତ୍ରରେ ଜମାକାରୀ ସେମାନଙ୍କର କଷ୍ଟୋପାର୍ଜିତ ଜମା ଅର୍ଥ ଫେରି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି ନିବେଶକଙ୍କ ଜମା ଅର୍ଥ ସାହାରା ଇଣ୍ଡିଆରେ ପଡ଼ି ରହିଛି । ପୂର୍ବରୁ ସାହାରା ଗ୍ରୁପର ଦୁଇଟି କମ୍ପାନୀକୁ ନେଇ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଉପରେ ୧୨ କୋଟିର ଜରିମାନା ଲାଗୁ ହୋଇଥିଲା । ୨୦୦୮ ଓ ୨୦୦୯ ମଧ୍ୟରେ ବିଭିନ୍ନ ନିୟମର ଉଲ୍ଲଂଘନ ହୋଇଥିବା ଜଣପଡ଼ିଥିଲା । ଗତ ୨୦୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିବେଶକମାନେ ଜମା କରିଥିବା ୨୫,୭୮୧ କୋଟିର ମୂଳ ରାଶି ବଦଳରେ ସେବି-ସାହାରା-ରିଫଣ୍ଡ ଖାତାକୁ ୧୫,୫୦୩ କୋଟି ଟଙ୍କା ଫେରିଥିଲା । ବର୍ତ୍ତମାନ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଫଣ୍ଡରେ ସାହାରର ୨୪ ହଜାର କୋଟି ଜମା ଅର୍ଥ ରହିଛି । ତେବେ ସେଥିମଧ୍ୟରୁ ୫ ହଜାର କୋଟି ନିବେଶକଙ୍କୁ ଫେରସ୍ତ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଯଦି ଏନେଇ ଅନୁମତି ମିଳେ ତେବେ ଜମାକାରୀଙ୍କୁ ୧.୧ କୋଟି ଅର୍ଥ ଫେରସ୍ତ କରାଯାଇପାରେ ।

Leave A Reply

Your email address will not be published.