ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩ ସରକାରୀ ଅଧିକାରୀ ଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକ କୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୟ। ଏ ନେଇ ଜିଲାପାଳ ହେମକାନ୍ତ ସୟ ବିଭାଗୀୟ ଚିଠି ନଂ. ୮୪୫୯/୨୮ ଅକ୍ଟୋବର ୨୦୨୪ ଅନୁଯାୟୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩ଜଣ ଠିକ୍ ଭାବେ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଅବଶିଷ୍ଟ ୮୪୩ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜଣାପଡ଼ିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନୀରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହି ଲକ୍ଷ ପୂରଣ ହୋଇପାରୁନାହିଁ । ଯାହା ପାଇଁ ଏହି ଦରମା ବନ୍ଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।
ଏନେଇ ସବୁ ବ୍ଲକର ବିଡିଓଙ୍କୁ ଚିଠି ହୋଇଛି। ଫଳରେ ସରକାରଙ୍କ ଯୋଜନା ସଫଳ ହେବାରେ ବହୁ ବାଧା ଉପୁଜିଥିବା ଦର୍ଶାଯାଇଛି। ଏହାକୁ ନେଇ ଟ୍ୟାଗଡ ଅଫିସରଙ୍କ ଦରମାକୁ ଅକ୍ଟୋବର ୨୦୨୪ରୁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଜିଲାରେ ନିର୍ମାଣ ହେଉଥିବା ଗୃହର ଜିଓ ଗ୍ୟାଗ୍ ନିମନ୍ତେ ଅତିରିକ୍ତ ଡାଟା ଏଣ୍ଟ୍ରିି ଅପରେଟର ଓ ପଞ୍ଚାୟତ ସମ୍ପ୍ରସାରଣ ଅଫିସରମାନେ ନିୟୋଜିତ ଥିଲେ।
Comments are closed.