ଡରାଇଲାଣି ନୂଆ ଇନଫ୍ଲୁଏନଜା, ଦେଶରେ ଦ୍ରୁତ ମାଡୁଛି H3N2 ଭାଇରସ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): H3N2 ଭାଇରସ୍‌ କରୋନା ଭଳି ବ୍ୟାପୁଛି । ଆକ୍ରାନ୍ତଙ୍କ ପାଖରେ ଦେଖାଦେଉଛି କୋଭିଡ୍‌ ଭଳି ଲକ୍ଷଣ । ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ମାମଲା ବଢୁଥିବାରୁ ସତର୍କ କରାଇଛି କେନ୍ଦ୍ର । ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କୋଭିଡ୍‌ର ପାଞ୍ଚ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି । ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି କେନ୍ଦ୍ର ସରକାର ।

ସଂକ୍ରମଣ ରୋକିବାକୁ ଭିଡ଼ ଏଡ଼ାଇବା ସହ ହାତ ସାଇନଟାଇଜ କରିବା କିମ୍ବା ସାବୁନରେ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଡାକ୍ତରଖାନ ମାନଙ୍କରେ ଯଥେଷ୍ଟ ପରିମାଣର ଔଷଧ, ଡାକ୍ତରୀ ଉପକରଣ, ମେଡିକାଲ ଅକ୍ସିଜେନ ମହଜୂଦ ରଖିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କୋଭିଡ୍‌ ଟିକାକରଣ ସହ ଇନ୍‌ଫ୍ଲୁଏଞ୍ଜା ଟିକା ନେବାକୁ ପରାମର୍ଶ ଦିଆଯାଇଛି । H3N2ରେ ଶିଶୁ, ବୟସ୍କ ଓ ଗର୍ଭବତୀ ମହିଳା ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ସେମାନେ ଭିଡ଼କୁ ନଯିବା ସହ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଦିଆଯାଇଛି ପରାମର୍ଶ ।

୨୦୨୨ ଡିସେମ୍ବରରୁ H3N2 ମାମଲା ବୃଦ୍ଧି ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫୧ ଇନଫ୍ଲୁଏନଜା ସଂକ୍ରମିତ । ୨ ଜଣଙ୍କର ଜୀବନ ଯାଇଛି । ପାଣିପାଗ ପରିବର୍ତ୍ତନ ଓ ଚଳଣିରେ ପରିବର୍ତ୍ତନ କରିଲେ ଏହାର ମୁକାବିଲା କରାଯାଇପାରିବ । H3N2 ସଂକ୍ରମଣରୁ ରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ, ଗହଳିଠାରୁ ଦୂରେଇ ରୁହନ୍ତୁ । ଛିଙ୍କିବା ଓ କାଶିବା ସମୟରେ ଘୋଡାଇ ରଖନ୍ତୁ ମୁହଁ ଓ ନାକ । ବାରମ୍ବାର ଆଖି ଓ ନାକ ଛୁଅଁନ୍ତୁ ନାହିଁ । ଜ୍ୱର କିମ୍ବା ଦେହ ଦରଜ ହେଲେ ପାରାସିଟାମୋଲ ଖାଆନ୍ତୁ । … କାହାକୁ ଶୁଭେଚ୍ଛା ଜଣାଇବା ସମୟରେ ହ୍ୟାଣ୍ଡସେକ୍‌ କରନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ପକାନ୍ତୁ ନାହିଁ ଛେପ । ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ କିମ୍ବା ଅନ୍ୟ ମେଡିସିନ୍‌ ଖାଆନ୍ତୁ ନାହିଁ । ଏକାଠି କିମ୍ବା ପାଖାପାଖି ବସି ଖାଆନ୍ତୁ ନାହିଁ । … ବ୍ୟୁରୋ ଇନପୁଟ ସହ କଟକରୁ ଦେବାଶିଷ ପଣ୍ଡା ଓ ଭୁବନେଶ୍ୱରରୁ ଦୀପକ ମହାନ୍ତି ଓ ଚିନ୍ମୟ ପଟ୍ଟନାୟକଙ୍କ ରିପୋର୍ଟ, କଳିଙ୍ଗ ଟିଭି ।

Leave A Reply

Your email address will not be published.