ଆଜିଠାରୁ ଆରମ୍ଭ ହେଲା ସ୍କୁଲ ଓ ଅଙ୍ଗନବାଡ଼ିରେ ସକାଳୁଆ କ୍ଲାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି ତାତି। । କଲବଲ କଲାଣି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11.30 ପର୍ଯ୍ୟନ୍ତ ଚାଲିବ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 11ଟା ପର୍ଯ୍ୟନ୍ତ ପାଠପଢା ହେବ । ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବା ଲାଗି କୁହାଯାଇଛି। ତେବେ ସ୍ଥିତି ଦେଖି ନିଜ ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।

ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି ଯେ, ସ୍କୁଲରେ ପିଲାମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ସହ ଓଆରଏସର ବ୍ୟବସ୍ଥା କରାଯାଇଛି । ଏହାସହ ମଧ୍ୟାହ୍ନ ଭୋଜନ ମଧ୍ୟ ପିଲାଙ୍କୁ ଦିଆଯିବ । ଯଦି କୌଣସି କାରଣରୁ ପିଲାମାନେ ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହସ୍ପିଟାଲ ନେବା ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପଟେ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ପିଲାମାନେ ପାଣି ବୋତଲ ସାଙ୍ଗରେ ଆଣିବା ପାଇଁ ନିର୍ଦ୍ଦେଶ ରହିଛି । ଏହାସହ କେନ୍ଦ୍ରରେ ଓଆରଏସ ପାଣି ଏବଂ ଖାଇବା ମଧ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଯୋଗାଇ ଦିଆଯାଉଛି । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପଙ୍ଖା ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କ୍ରମାଗତ ଭାବେ ବଢୁଛି ତାପମାତ୍ରା । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ପ୍ରକାଶ ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର ।

Leave A Reply

Your email address will not be published.