ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟିକା ଗୋଷ୍ଠୀର ଉର୍ଜାସାଥିଙ୍କୁ ଉଚିତ ପ୍ରାପ୍ୟ ମିଳୁନି। ମୋରଡା ବିଦ୍ୟୁତ ସବଡିଭିଜନ ଅଧିନରେ କାର୍ଯ୍ୟରତ ଉର୍ଜା ସାଥି ମହିଳା ମାନଙ୍କୁ ଟାଟା ପାୱାର ନର୍ଦନ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା(ଟିପିଏନଓଡିଏଲ) ପକ୍ଷରୁ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି କରାନଯିବାରୁ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ମୋରଡା, ରାସଗୋବିନ୍ଦପୁର ଓ ବେତନଟୀ ବ୍ଲକର ୫୬ଗୋଟି ଗ୍ରୁପର ସଭାପତି ଏବଂ ସମ୍ପାଦକ ମାନେ ଯୁବ ସମାଜସେବୀ ରବୀନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଟିପିଏନଓଡିଏଲ ପକ୍ଷରୁ ଜୁନ ୨୦୨୨ରେ ଏକ ହଜାର ହିତାଧିକାରୀଙ୍କ ବିଦ୍ୟୁତ ବିଲ ଓ କଲେକସନ କରିବାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମହିଳା ମାନଙ୍କୁ ଉର୍ଜାସାଥି ଭାବେ ଚୁକ୍ତି କରି ନିଯୁକ୍ତ କରିଥିଲେ। ଏହାକୁ ନେଇ ଜୁଲାଇ ୨୨ରୁ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ କଲେକସନ କାର୍ଯ୍ୟ ଆରମ୍ଭ କରି ନିଜର କମିଶନ ପ୍ରାପ୍ୟ ପାଉଥିଲେ। ୬ ଏପ୍ରିଲ ୨୦୨୩ରେ ଉପଭୋକ୍ତାଙ୍କ ବିଲିଂ କରିବାକୁ ନେଇ ବିଭାଗକୁ ଦାବି କରିବା ପରେ ୪ଶହ ପର୍ଯ୍ୟନ୍ତ ଅନୁମତି ଦିଆଗଲା। ବିଲିଂ ବାବଦରେ ୮ ଟଙ୍କା ଓ କଲେକସନ ବାବଦରେ ୧୦ଟଙ୍କା କମିଶନ ଆକାରରେ ପାଉଥିଲେ। ଏହାକୁ ନେଇ ପ୍ରତି ଏସଏସଜି ଗ୍ରୁପର ମହିଳା ମାନେ ମାସ ତମାମ କାର୍ଯ୍ୟ କରି ମାତ୍ର ୩ଶହରୁ ୪ଶହ ହିତାଧିକାରୀଙ୍କ ଠାରୁ ବିଲ ଓ କଲେକସନ କରୁଛନ୍ତି। ସେଥି ମଧ୍ୟରୁ ଶତାଧିକ ଉପଭୋକ୍ତା ଅନଲାଇନ ଓ ବିଭାଗ କାର୍ଯ୍ୟାଳୟରେ ବିଲ ପୈଠ କରିବା ଦ୍ବାରା କଲେକସନର କମିଶନ ଉର୍ଜାସାଥିକୁ ମିଳିପାରୁ ନାହିଁ। ଫଳରେ ବିଲିଂ କମିଶନ ଅର୍ଥ ମାସକୁ ୪/୫ହଜାର ଟଙ୍କା ପାଉଛନ୍ତି। ଏହି ଟଙ୍କାକୁ ଗ୍ରୁପର ୧୦ମହିଳାଙ୍କ ମଧ୍ୟରେ ଭାଗ କରିବାରୁ ଜଣ ପିଛା ମାତ୍ର ୪ଶହରୁ ୫ଶହ ଟଙ୍କା ପାଉଛନ୍ତି।
ମାସ ତମାମ କାର୍ଯ୍ୟ କରି ଅଳ୍ପ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ନଥିବାରୁ ମାସିକ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ତେବେ ଅଭିଯୋଗକୁ ଦୃଷ୍ଟିରେ ଖୁବଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଅଭିଯୋଗର ଏକ ନକଲ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଝରଣା ଦେହୁରୀ, ଅନୁପମା ପାତ୍ର, କ୍ଷୀରମଣି ମହାନ୍ତ, ସେବତୀ ମହାନ୍ତ, ଲକ୍ଷ୍ମୀ ସେଠି, କୁମୁଦିନି ମହାନ୍ତ, ଚନ୍ଦ୍ରକାନ୍ତି ମହାନ୍ତ, ଶାନ୍ତିଲତା ପ୍ରଧାନ, ସୁନିତା ସି, ଜବା ମାର୍ଣ୍ଡି, ମିନତୀ ମହାନ୍ତ, ରତ୍ନ ମଞ୍ଜରୀ ମହାନ୍ତ, ରଶ୍ମିରେଖା ମହାନ୍ତ ସମେତ ଅନ୍ୟାନ୍ୟ ମହିଳା ଉପସ୍ଥିତ ଥିଲେ।