ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ରୋଟାରୀ କ୍ଳବରେ ସଭାପତି ଜ୍ୟୋତିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ନୂଆ କରି କ୍ଲବର ଶବ ସୁରକ୍ଷା କଫିନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବାରିପଦାର ପ୍ରସିଦ୍ଧ ଔଷଧ ବିକ୍ରେତା ସରୋଜ କୁମାର ଖୁଣ୍ଟିଆ ଓ ତାଙ୍କ ସହ ଧର୍ମିଣୀ ସଙ୍ଗୀତା ଖୁଣ୍ଟିଆ ଉପସ୍ଥିତ ରହି ନିଜ ଦିବଙ୍ଗତ ଭାଇ ସ୍ୱର୍ଗତ ସନ୍ତୋଷ କୁମାର ଖୁଣ୍ଟିଆଙ୍କ ପନ୍ଦର ତମ ଓ ଭାଉଜ ସ୍ୱର୍ଗତା ଶରେଣୁବାଲା ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆମର ଆତ୍ମାଙ୍କ ସ୍ମୃତିରେ ବାରିପଦା ସମେତ ସମଗ୍ର ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାବାସୀଙ୍କ ନିମନ୍ତେ ପ୍ରାୟତଃ ଦୁର୍ଲଭ ଶବ ସୁରକ୍ଷା କଫିନ ବ୍ୟବସ୍ଥାର ସୁଲଭ ସେବା ଯୋଗାଇଦେବା ନିମନ୍ତେ ସହରର ଅନ୍ୟତମ ସେବା ଅନୁଷ୍ଠାନ ରୋଟାରି କ୍ଲବକୁ ଏହି କଫିନ ଟିକୁ ଅର୍ପଣ କରିଥିଲେ।
ସମଗ୍ର ଜିଲ୍ଲାରେ ଏହା ଖୁଣ୍ଟିଆ ଦମ୍ପତିଙ୍କର ଏକ ଦୃଷ୍ଟାନ୍ତ ମୂଳକ ଅନନ୍ୟ ଓ ଅସାଧାରଣ ସେବା ବୋଲି ସଭାରେ ଉପସ୍ଥିତ ଥିବା ସମସ୍ତ ରୋଟାରିଆନ, ଇନର ହ୍ବିଲ କ୍ଲବର ସଦସ୍ୟା ଓ ଜିଲ୍ଲାର ବୁଦ୍ଧିଜୀବୀ ଗଣ ଅଭିମତ ରଖିଥିଲେ। ସଭାକାର୍ଯ୍ୟ ଆରମ୍ଭରେ ବରିଷ୍ଠ ରୋଟାରିଆନ ବିଭୁ ପ୍ରସାଦ ଦାସ ସ୍ୱାଗତ ସମ୍ଭାଷଣ ଦେଇଥିଲା ବେଳେ ମଞ୍ଚଆସିନ ପ୍ରାକ୍ତନ କ୍ଳବ ସଭାପତି ରାକେଶ ସିଂ ସଭାରେ ଉପସ୍ଥିତ ଖୁଣ୍ଟିଆ ପରିବାରର ତିନି ଝିଅଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ, ନିମନ୍ତ୍ରିତ ଅତିଥି ତଥା ଗଣ ମାଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ଉଦ୍ଦେଶ୍ୟରେ ଏକ ମିଳିତ ନିରବ ପ୍ରାର୍ଥନା ଅନୁଷ୍ଠାନ ପରେ ସଭା ସମାପନ ହୋଇଥିଲା।