ଓଡ଼ିଶାର ଡିଜିପି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆଙ୍କୁ ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହାପରେ ସେ ଡିଜିପି ହେବା ନେଇ ଚର୍ଚ୍ଚା ହେଉଥିଲା।

ତେବେ ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା,ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି। ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଏଥିସହ କେନ୍ଦ୍ରକୁ ଯାଇ BSF ସ୍ପେଶାଲ ଡିଜି ମଧ୍ୟ ହୋଇଥିଲେ। ଅଗଷ୍ଟ ୨ ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପାଓ୍ୱାର କରି଼ଡରରେ ଗୋଟିଏ ବଡ ଅଦଳ ବଦଳ ହୋଇଛି। ନବୀନ ସରକାରଙ୍କର ଅନୁଗତ ବା ପସନ୍ଦର ଆଇଏଏସ, ଆଇପିଏସଙ୍କର ଏକ ପ୍ରକାର ପକ୍ଷ ଛେଦନ କରାଯାଇ ନୂଆ ଟିମ୍ ଗଢିଥିବା କୁହାଯାଉଛି।

Comments are closed.