ମେ ୨୩ ଯାଏ ପୁଣି ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ଅବଧି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମେ ୨୩ ଯାଏ ପୁଣି ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ଅବଧି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି ।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ବୃଦ୍ଧି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ସିବିଆଇ ଶନିବାର ମନୀଷଙ୍କ ବିରୋଧରେ ୬୨୨ କୋଟି ଟଙ୍କାର ବେଆଇନ କାରବାର ଅଭିଯୋଗ ଆଣିଥିଲା । ଆଉ ଆଜି ଇଡି ତାଙ୍କୁ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଇଥିଲା । ତେବେ ଇଡି ପକ୍ଷରୁ ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଉପରେ କୋର୍ଟ ମେ’ ୧୦ରେ ବିଚାର କରିବେ ବୋଲି କହିଛନ୍ତି ।

ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ର ସଫ୍ଟ କପିକୁ ସିଡି,ଡିଭିଡି ଓ ପେନ ଡ୍ରାଇଭର ଦ୍ୱାରା ମେ’ ୮ ସୁଦ୍ଧା ଦାଖଲ କରିବାକୁ ମଧ୍ୟ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପରେ ସିସୋଦିଆଙ୍କ ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ତିହାର ଜେଲ ପଠାଇ ଦେଇଥିଲେ। ହେଲେ ମାର୍ଚ୍ଚ ୯ ତାରିଖରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ପୁଣିଥରେ ଗିରଫ କରିଥିଲା ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ସିସୋଦିଆ ।

Leave A Reply

Your email address will not be published.