ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମାରେ ୩ଦିଅଁ ସ୍ନାନ ମଣ୍ଡପରେ ବିଜେ କରି ୧୦୮ ଗରା ପାଣିରେ ସ୍ନାନ କରିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ପରମ୍ପରା ଅନୁସାରେ ଠାକୁରମାନଙ୍କୁ ଅଣସର ଘରକୁ ଅଣାଯାଇ ଚିକିତ୍ସା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଚିକିତ୍ସା ସମୟରେ ମହାପ୍ରଭୁମାନଙ୍କର ପୂଜା ବିଧିରେ ମଧ୍ୟ ସ୍ୱତନ୍ତ୍ରତା ରହିଛି । ପୁରୀରେ ଅଣସର ଘରେ ଠାକୁରମାନଙ୍କୁ କେବଳ ଦଇତାପତିମାନେ ସେବା କରୁଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ମୁଖ୍ୟ ପୂଜକମାନେ ବିଗ୍ରହମାନଙ୍କର ସମସ୍ତ ଗୁପ୍ତ ସେବା ନୀତି ସମ୍ପନ୍ନ କରୁଛନ୍ତି । ଏହି ସମୟରେ ମନ୍ଦିର ମଧ୍ୟରେ ପଟିଦିଅଁଙ୍କର ପୂଜା କରାଯାଉଛି । ପଟିଦିଅଁଙ୍କ ଦର୍ଶନ ପାଇଁ ଭକ୍ତମାନେ ହାତୀ ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରୁଛନ୍ତି ।
ଅଣସର ଗୃହରେ ପୂର୍ଣ୍ଣିମା ପର ପଞ୍ଚମୀ ଦିନରେ ମୁଖ୍ୟ ଚିତ୍ରକାର ଠାକୁରମାନଙ୍କର ଚିକିତ୍ସା ପାଇଁ ପାଞ୍ଚଣ ଲାଗି ପୂଜକଙ୍କ ଦ୍ୱାରା କରାଇଥାନ୍ତି । ପୂର୍ବରୁ ସ୍ୱତନ୍ତ୍ର ରାଜଦରବାର ସମୟରେ ରାଜବୈଦ୍ୟଙ୍କ ଦ୍ୱାରା ଏହି ପାଞ୍ଚଣ ପ୍ରସ୍ତୁତ ହେଉଥିବା ବେଳେ ଏବେ ମୁଖ୍ୟ ଚିତ୍ରକରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଞ୍ଚଣ ଔଷଧ ସାମଗ୍ରୀକୁ ସୁପକାର ଗୁପ୍ତଭାବେ ନୂତନ ମାଟି ହାଣ୍ଡିରେ ପାଞ୍ଚଣ ପ୍ରସ୍ତୁତ କରନ୍ତି । ଏହି ପାଞ୍ଚଣ ପ୍ରସ୍ତୁତିରେ ଦଶମୂଳ, ଜାୟତ୍ରୀ, ଜାଇଫଳ, ଲବଙ୍ଗ, ଅଳେଇଚ, ଗୁଜୁରାତି, ଶୁଣ୍ଠି, ପିପଳି, ପାନମହୁରୀ, ଜୁଆଣୀ, ଧଣିଆଁ, ତେଜପତ୍ର, ବଡଅଳେଇଚ, ଡାଳଚିନି, ଗୋଲମରିଚ ଆଦି ପ୍ରାକୃତିକ ବନ୍ୟଜାତ ଦ୍ରବ୍ୟର ଗୁଣ୍ଡକୁ ସିଝେଇ ଔଷଧ ପ୍ରସ୍ତୁତ କରିବା ପରେ ଠାକୁରଙ୍କ ପଣ୍ଡାମାନେ ଠାକୁରମାନଙ୍କୁ ସ୍ନାନପୂର୍ଣ୍ଣିମାର ପଞ୍ଚମ ଦିନରେ ଏହା ଅର୍ପଣ କରିଥାନ୍ତି । ବୁଧବାର ସନ୍ଧ୍ୟାରେ ଠାକୁରଙ୍କୁ ପାଞ୍ଚଣ ଦିଆଯିବା ପରେ ମନ୍ଦିର ସମ୍ମୁଖରେ ଏହି ପାଞ୍ଚଣ ପାଇବା ପାଇଁ ଭକ୍ତଙ୍କ ଭିଡ ଲାଗି ରହିଥିଲା । ଯେଉଁ ବ୍ୟକ୍ତିଙ୍କ ଦ୍ୱାରା ଏହି ପାଞ୍ଚଣ ସେବନ କରାଯାଇଥାଏ ସେ ବର୍ଷସାରା ଜ୍ୱରରେ ଆକ୍ରାନ୍ତ ହେଉ ନ ଥିବା ବିଶ୍ୱାସ ରହିଛି ।
ଏତଦବ୍ୟତୀତ ଠାକୁରମାନେ ଅସୁସ୍ଥ ଥିବାରୁ ପ୍ରତ୍ୟେକ ଦିନ ପୂର୍ବାହ୍ନରେ ପାଳୁଅ ଖଣ୍ଡ ସହିତ କାଠିମୋହନ, ଗଜାମୁଗ, ଦହିଛେନା ଏବଂ ଗୁଡ ଆଦି ଅର୍ପଣ କରାଯାଉଥିବା ବେଳେ ସନ୍ଧ୍ୟାରେ ଛେନାପଣା ଏବଂ ରାତ୍ରି ପହଡରେ ମଧ୍ୟ ପାଳୁଅ କାଠିମୋହନ ଆଦି ନୈବେଦ୍ୟ ଲାଗି ହେଉଛି । କିନ୍ତୁ ଏହି ସମୟରେ ପଟିଦିଅଁଙ୍କୁ ପୂର୍ବାହ୍ନରେ ଉଖୁଡା ମିଠେଇ ଓ ଦ୍ୱିପ୍ରହର ରାତିରେ ଅରୁଆ ଭାତ ଡାଲି ଭୋଗ ଠା’ କରାଯାଉଛି । ଏହି ସମୟରେ ଶ୍ରୀଶ୍ରୀଜଗନ୍ନାଥ ଅସୁସ୍ଥ ଥିବାରୁ ମାତା ଲକ୍ଷ୍ମୀଙ୍କ ପାଖରେ କେବଳ ପଖାଳ ଭୋଗ ଅର୍ପଣ କରାଯାଇଥାଏ । ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ଆଜି ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ନୀତି ହେବ ବୋଲି ଜଣାପଡିଛି।