ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ଜାରିହେଲା SOP

0

ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର । କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିବେ । ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ । ତେବେ ମନ୍ଦିର ଖୋଲିବା ନେଇ ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି ।

ଏସଓପିରେ କୁହାଯାଇଛି ଯେ, ପ୍ରତ୍ୟେକ ଶନିବାର ଓ ରବିବାର ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଏହି ଦୁଇଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଦର୍ଶନ କରିବା ସମୟରେ ମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବା ସହ ମନ୍ଦିର ଭିତରେ ପ୍ରତିମାଙ୍କୁ ନ ଛୁଇଁପାରିବେ ନାହିଁ । କେହି ମନ୍ଦିର ଭିତରେ ଦୀପ ଜାଳିପାରିବେ ନାହିଁ । ପାନ, ଗୁଟଖା ମନ୍ଦିର ଭିତରେ ନିଷେଧ କରାଯିବା ସହ ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ଲାଗୁ ହେବ । ଏହାଛଡ଼ା ପର୍ବପର୍ବାଣି ସମୟରେ ଭିଡ଼କୁ ଦୂରେଇବା ପାଇଁ ମନ୍ଦିରକୁ ବନ୍ଦ ରଖାଯିବ । ଜନ୍ମାଷ୍ଟମୀ, ଗଣେଶ ପୂଜା ଯଥାକ୍ରମେ ଅଗଷ୍ଟ, ସେପ୍ଟେମ୍ବରରେ ପଡ଼ୁଥିବା ଏହି ସମୟରେ ମନ୍ଦିର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ ସମୀକ୍ଷା କରାଯିବ ବୋଲି କୁହାଯାଇଛି । ଗତ ୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ କୋଭିଡ୍ ନିୟମ ଓ କଟକଣା ନେଇ ସମସ୍ତ ବିଷୟରେ ଆଲୋଚନା କରାଯିବା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.