ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ, ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବାକୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ତା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳାର ମହାନ ପରମ୍ପରା ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ । ସମୟକ୍ରମେ ସମାଜର ରୁଚି ବଦଳିବା ସହ ମନୋରଞ୍ଜନର ମାଧ୍ୟମ ମଧ୍ୟ ଭିନ୍ନ ରୂପ ନେଇଛି । ମାତ୍ର ଲୋକକଳା ଏହାର ମହାନ ପରମ୍ପରା ବଜାୟ ରଖି ଏବେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଏହାର ସୁରକ୍ଷା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ  ଅଶୋକ ପଣ୍ତା ମତବ୍ୟକ୍ତ କରିଥିଲେ ।

ସେହିଭଳି କୃଷିଭିତ୍ତିକ ଗଣପର୍ବ ରଜ ମଧ୍ୟ ପାରସ୍ପରିକ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥିବା ସେ କହିଥିଲେ । ଏହି ଅବସରରେ ଯୋଗଦେଇ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଲୋକକଳାକୁ ଲୋକପ୍ରିୟ କରିବା ନିମନ୍ତେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଓଡିଶାର ମହାନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନର ଭୂମିକା ଉପରେ ସେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଓଡିଶା ସଂଗୀତ ନାଟକ ଏକାଡେମୀ ଉପ ସଭାପତି ମନ୍ମଥ କୁମାର ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକକଳାର ସୁରକ୍ଷା ଓ ରଜ ପର୍ବ ପାଳନର ମହାନ ପରମ୍ପରା ସଂପର୍କରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା ।

 

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି ।କାର୍ଯ୍ୟକ୍ରମ ଶେଷରେ ସୋନପୁରର ଶାଶ୍ବତ ତ୍ରିପାଠୀ ଓ ସାଥି ମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଓ ଦିଗପହଣ୍ତିର ବୃନ୍ଦାବନ ଜେନା ଓ ସାଥି ମାନଙ୍କ ପକ୍ଷରୁ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.