ଲ୍ୟାଣ୍ଡିଂ ବେଳେ ରନଓ୍ବେରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ, ଯାତ୍ରୀ ସୁରକ୍ଷିତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁରୁବାର ଗୁଜରାଟର ଅହମ୍ମଦାବାଦରେ ଇଣ୍ଡିଗୋର ଏକ ବିମାନ ଅବତରଣ କରିବା ସମୟରେ ଟେଲ୍ ଷ୍ଟ୍ରାଇକର ସମ୍ମୁଖୀନ ହୋଇଥିଲା। ତେବେ ବେଙ୍ଗାଲୁରୁରୁ ଆସିଥିବା ଏହି ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅବତରଣ କିମ୍ବା ଉଠିବା ସମୟରେ ଗୋଟିଏ ବିମାନର ପଛଭାଗ ବା ଲାଞ୍ଜ ରନଓ୍ବେ ସ୍ପର୍ଶ କରିବାକୁ ଟେଲ ଷ୍ଟ୍ରାଇକ ବୋଲି କୁହାଯାଇଥାଏ । ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁରୁ ଆସିଥିବା  ଇଣ୍ଡିଗୋ ବିମାନ ୬ଇ୬୫୯୫ ଅହମ୍ମଦାବାଦରେ ଅବତରଣ କରିବା ସମୟରେ ତାହାର ପଛଭାଗ ଭୂମିରେ ପିଟି ହୋଇଯାଇଥିଲା । ଏହା ପରେ ଆବଶ୍ୟକ ଯାଞ୍ଚ ଏବଂ ମରାମତି ପାଇଁ ବିମାନକୁ ଅହମ୍ମଦାବାଦ ବିମାନ ବନ୍ଦରରେ ଗ୍ରାଉଣ୍ଡେଡ୍ ଘୋଷଣା କରାଯାଇଥିଲା। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ନିକଟରେ ଇଣ୍ଡିଗୋ ବିମାନ ସହ ଏଭଳି ଆଉ ଏକ ଘଟଣା ଘଟିଥିଲା।

ଗତ ଜୁନ୍ ୧୧ ରେ ଇଣ୍ଡିଗୋର ଏକ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ରନଓ୍ବେ ସହ ମାଡ ହୋଇଯାଇଥିଲା । ଏହାପରେ ବିମାନ ଚଳାଚଳ ସୁରକ୍ଷା ନିୟାମକ ଡିଜିସିଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିଜିସିଏଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବିମାନର ଚାଳକଦଳକୁ ବିମାନ ଚଳାଇବା ଉପରେ କଟକଣା ଲଗାଯାଇଛି ।

Leave A Reply

Your email address will not be published.