ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଋଣ ଯନ୍ତାରେ ବୁଡ଼ି ରହିଛି ରାଜ୍ୟ। ଏହାରି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ୱବ୍ୟାଙ୍କ ଆଜି ଓଡ଼ିଶାକୁ ୧୦୦ ମିଲିୟନ ଡଲାର (ପ୍ରାୟ ୭୦୦କୋଟି ଟଙ୍କା) ଋଣ ମଞ୍ଜୁର କରିଛି। ବାତ୍ୟା ଆଦି ବିପର୍ଯ୍ୟୟର ଆଗୁଆ ସୂଚନା ସମେତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପକୂଳରେ ରହୁଥିବା ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷାକୁ ବୃଦ୍ଧି ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ। ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଅଗଷ୍ଟେ ଟାନୋ କୌମେ କହିଛନ୍ତି ଯେ ‘ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲେଂଟ ଗ୍ରୋଥ୍ ପ୍ରୋଗାମ’ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ପ୍ରାକୃତିକ ବିପର୍ଯ୍ୟୟବେଳେ କ୍ଷୟକ୍ଷତି ହ୍ରାସ ସହ ଆଗୁଆ ବିପର୍ଯ୍ୟୟ ସୂଚନା ଦେବା ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ମୁକାବିଲା ଯୋଜନାକୁ ସୁଦୃଢ଼ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମ ମଧ୍ୟ ଉପକୂଳରେ ରହୁଥିବା ବିଭିନ୍ନ ସମୁଦାୟର ଲୋକଙ୍କୁ କ୍ୟାସ ଟ୍ରାନ୍ସଫର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା ପ୍ରଦାନ କରିବ । ଏହି ନୂଆ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଡିଜିଟାଲ ସାମାଜିକ ସେବା ପ୍ରଦାନ ବ୍ୟବସ୍ଥାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ସାଢ଼େ ୧୨ବର୍ଷ ପର୍ଯ୍ୟନ୍ତ ଚାଲିବ, ଯାହା ଅଧିକ ୩ବର୍ଷ ବୃଦ୍ଧି କରାଯାଇପାରିବ। ଓଡ଼ିଶାର ୪୮୦କିମି ସମୁଦ୍ର ଉପକୂଳ ଥିବାବେଳେ ରାଜ୍ୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି।
କହିରଖେ କି, ଋଣ ନିମନ୍ତେ ରାଜ୍ୟର ସାମର୍ଥ୍ୟ ବଢ଼ିଥିବାବେଳେ ଋଣ ପୋଷଣୀୟ ସ୍ତରରେ ରହିଛି ବୋଲି ବିଧାନସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧,୨୮,୮୭୩ ଟଙ୍କା ଥିଲା। ତେବେ ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧୩,୦୧୨ ଟଙ୍କା ଥିଲା। ୧୯୯୯-୨୦୦୦ରେ ରାଜ୍ୟର ମୁଣ୍ଡପିଛା ଆୟ, ମୁଣ୍ଡ ପିଛା ଋଣର ୨.୬୫ ଗୁଣ ଥିବାବେଳେ ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ୫.୮ଗୁଣ ରହିଛି। ରାଜ୍ୟ ସରକାର ଋଣଭାରରେ ବୁଡ଼ି ରହିଛନ୍ତି କି ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଋଣ ପୋଷଣୀୟତା ମାପିବା ପାଇଁ ୨ଟି ପରିମାପକ ବ୍ୟବସ୍ଥା ରହିଛି। ଋଣ ଭାର ମୋଟ ଘରୋଇ ଉତ୍ପାଦର ୨୫ପ୍ରତିଶତ ମଧ୍ୟରେ ସୀମିତ ରହିବା ସହିତ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ। ତେବେ ମହାଲେଖାକାରଙ୍କ ହିସାବ ଅନୁସାରେ ୨୦୨୧-୨୨ ଶେଷରେ ରାଜ୍ୟର ଋଣ-ଜିଏସଡିପି ଅନୁପାତ ୧୪.୭ ପ୍ରତିଶତ ଏବଂ ସୁଧ ଓ ରାଜସ୍ୱ ଆୟର ଅନୁପାତ ୪.୧୪ ପ୍ରତିଶତରେ ସୀମିତ ରହିଛି। ୨୦୦୫-୦୬ରୁ ରାଜ୍ୟରେ କ୍ରମାଗତ ଭାବେ ବଳକା ସ୍ଥିତି ବଜାୟ ରହିଛି ଏବଂ ସମସ୍ତ ଋଣ ପୁଞ୍ଜି ବାବଦ ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି। ତେଣୁ ରାଜ୍ୟ ଋଣ ଭାରରେ ବୁଡ଼ି ନାହିଁ ବରଂ ରାଜ୍ୟର ଋଣ ଭାର ପୋଷଣୀୟ ସ୍ଥିତିରେ ରହିଛି। ମନ୍ତ୍ରୀ କହିଥିଲେ ଯେ ଋଣ ଭାର କମାଇବା ପାଇଁ ରାଜସ୍ୱ ବଳକା ସୃଷ୍ଟି ଜରିଆରେ ଋଣ ଉପରେ ନିର୍ଭରଶୀଳତା କମିଛି।
୨୦୦୬-୦୭ରୁ ୨୦୧୩-୧୪ ଏବଂ ୨୦୨୧-୨୨ରୁ ଏ ପର୍ଯ୍ୟନ୍ତ ଖୋଲା ବଜାରରୁ ଋଣ କରାଯାଇ ନାହିଁ। ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ୨୦୧୬-୧୭ ଆର୍ଥିକ ବର୍ଷଠାରୁ ଋଣ କରାଯାଇ ନାହିଁ। ଦ୍ୱାଦଶ ଅର୍ଥ କମିସନଙ୍କ ସୁପାରିସକ୍ରମେ ରାଜ୍ୟ ସରକାରଙ୍କ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା(ଏଫଆରବିଏମ୍) ଆଇନ ପ୍ରଣୟନ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ୨୦୦୫-୦୬ରୁ ୨୦୦୯-୧୦ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ବାର୍ଷିକ ୩୮୧.୯୦କୋଟି ଟଙ୍କା ହାରରେ ମୋଟ ୧୯୦୯.୫୦ କୋଟି ଟଙ୍କା ଋଣ ପରିଶୋଧରୁ ଛାଡ଼ ପାଇଛନ୍ତି। ମହାଲେଖାକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧-୨୨ ଶେଷ ସୁଦ୍ଧା ବିଶ୍ୱ ବ୍ୟାଙ୍କ, ଆଇଏଫଏଡି, ଏଡିବି ଭଳି ବାହ୍ୟ ସହାୟତାକାରୀ ସଂସ୍ଥାଠାରୁ ଆସିଥିବା ଋଣ ପରିମାଣ ୧୮,୫୦୭. ୮୨କୋଟି ଟଙ୍କା। ୨୦୨୧-୨୨ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୯୭,୨୦୪.୯୮କୋଟି ଟଙ୍କା ରହିଛି ଯାହା ରାଜ୍ୟ ମୋଟ ଘରୋଇ ଉତ୍ପାଦର ୧୪.୭ ପ୍ରତିଶତ। ଏହି ଋଣ ମଧ୍ୟରୁ ଖୋଲା ବଜାରରୁ ୨୯.୩୮ ପ୍ରତିଶତ, ନାବାର୍ଡରୁ ୧୭.୨୨, ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ୬.୭୧, ଭାରତ ସରକାରଙ୍କଠାରୁ ୧୯.୦୪, ଜିପିଏଫରୁ ୨୫.୪୩, ଅନ୍ୟାନ୍ୟ ସୂତ୍ରରୁ ୨.୨୨ ପ୍ରତିଶତ ଆସିଛି।
ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ଶ୍ରୀ ବାହିନୀପତି କଂଗ୍ରେସ ଅମଳରେ ମୁଣ୍ଡ ପିଛା ଋଣ ଭାର ୪,୯୧୮ଟଙ୍କା ଭିତରେ ଥିବାବେଳେ ଏବେ ୨୨ହଜାର ଟପିଥିବାରୁ ଋଣ ଭାର କମାଇବାକୁ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେହିପରି ବିଧାୟକ ମୁକେଶ ମହାଲିଙ୍ଗ ରାଜସ୍ୱ ଆଦାୟରେ ରାଜ୍ୟ ଯଦି ବଳକା ସ୍ଥିତିରେ ରହିଛି ତେବେ ରାଜ୍ୟରେ ଖାଲି ପଡ଼ିଥିବା ପଦ କାହିଁକିି ପୂରଣ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଋଣଠାରୁ ଆୟ ଦୁଇଗୁଣ ବଢ଼ିଛି। ଋଣ କରିବାରେ ଓଡ଼ିଶା ଦେଶର ସବୁଠୁ ତଳେ ରହିଛି। କିନ୍ତୁ ଜାତୀୟସ୍ତରରେ ଋଣ ପରିମାଣ ୧.୭୨କୋଟିରୁ ଅଧିକ ଏବଂ ସୁଧ ଦେୟ ବଜେଟର ୨୫ ପ୍ରତିଶତ ରହିଛି।