ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବର୍ଷାରେ ଭିଜିଭିଜି ବିଦ୍ୟାଳୟ ଗେଟ୍ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଠାରେ ଥିବା ନୀଳସୁନ୍ଦର ଜୀଉ ନବକିଶୋର ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ ସାମ୍ନାରେ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକମାନେ ବର୍ଷା ରେ ଓଦା ହୋଇ ଧାରଣାରେ ବସିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
ସୂଚନା ମୁତାବକ ଗତ ୧୩ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ଧରଙ୍କ ବଦଳି ଲାଗି ନିର୍ଦ୍ଦେଶ ନାମା ଜାରି ହୋଇଛି। ଯାହା ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକଙ୍କ ଚିନ୍ତାର ବିଷୟ ପାଲଟିଛି। ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଆବଶ୍ୟକତା ଅନୁସାରେ ଆହୁରି ଚାରି ଜଣ ଶିକ୍ଷକଙ୍କ ପଦବୀ ଖାଲି ପଡିଛି।ସେପରି ସ୍ଥଳରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେଥିପାଇଁ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣା ବସିଥିବା ଜଣାଯାଇଛି।
ବିଦ୍ୟାଳୟଟି ନିଜର ଉତ୍ତମ ପାଠପଢା ସହ ଖେଳକୁଦ ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ଆସିଛି।ଯେଉଁଥିପାଇଁ ସବୁ ସଫଳତାର ଶ୍ରେୟ ପ୍ରଧାନ ଶିକ୍ଷକ ବୋଲି ଅଭିଭାବକ ଓ ଗ୍ରାମବାସୀ କହୁଛନ୍ତି। ଦୁଃଖର ବିଷୟ ଆବଶ୍ୟକ ଅନୁଯାଇ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ପଦବୀ ଖାଲି ପଡି ଥିବାବେଳେ ଏବେ ପ୍ରଧାନ ଶିକ୍ଷକଙ୍କ ବଦଳି ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି କରିବ ବୋଲି ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ସରକାର ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତ୍ୟାହର କରିବା ସହ ବିଦ୍ୟାଳୟରେ ବାକି ଥିବା ଶିକ୍ଷକ ପଦବୀକୁ ପୂରଣ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଭବିଷ୍ୟତରେ ଆନ୍ଦୋଳନଟି ତୀବ୍ର ରୂପ ନେବ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି।