ଓଡ଼ିଆ ନ୍ୟୁଜ୍: ଦୁର୍ଘଟଣା ପରେ ଜଳିଗଲା ୨ ଟ୍ରକ୍; ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ। ହେମଗିର ଥାନା ରତନସରା ଡିବିଏଲ କ୍ୟାମ୍ପ୍ ନିକଟରେ ଦୁର୍ଘଟଣା।ଘଟଣାସ୍ଥଳରେ ଉତ୍ତେଜନା; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।ସୁନ୍ଦରଗଡ଼ ଜିଲ୍ଲା ହେମଗିର ଗୋପାଳପୁର ସମ୍ମୁଖ ଏକ କମ୍ପାନୀ ଆଗରେ ଭୋର ପ୍ରାୟ ୪ଟା ବେଳକୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କୋଇଲା ବୋଝେଇ ଟ୍ରେଲରରେ ନିଆଁ ଲାଗି ଯାଇଥିଲା । ନିଆଁରେ ଟ୍ରେଲର ଚାଳକ ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିର ଭୟାବହତା ଏତେ ଅଧିକ ଥିଲା ଯେ, ମୃତଦେହର ଅଧିକାଂଶ ଅଂଶ ପାଉଁଶ ହୋଇଯାଇଛି । କେବଳ କିଛି ଅସ୍ଥି ଅବଶିଷ୍ଟ ରହିଛି । ହେମଗିର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଦୁର୍ଘଟଣା କେମିତି ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ସେହିପରି ଗତ ଦୁଇ ଦିନ ତଳେ ସୁନ୍ଦରଗଡ ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ 143 ନମ୍ବର ଜାତୀୟ ରାଜପଥରେ ବସ୍-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 20ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା।