ହେଟ୍ ସ୍ପିଚ୍ ମାମଲାରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ, ବିନା ଏଫଆଇଆରରେ ମାମଲା ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହେଟ୍ ସ୍ପିଚ୍ ମାମଲାରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ ।  ମାମଲାର ବିଚାର ଚାଲିଥିବା ବେଳେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବିନା ଏଫଆଇଆରରେ ମାମଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ମାମଲାରେ ମାମଲା ପଞ୍ଜିକରଣ କରିବାରେ ବିଳମ୍ବ ହୁଏ, ତେବେ ଏହାକୁ କୋର୍ଟ ଅବମାନନା ବୋଲି ପରିଗଣିତ କରାଯିବ । ଏହାପୂର୍ବରୁ ସୁପ୍ରିମକୋର୍ଟ କେବଳ ୟୁପି, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଦେଶ ସବୁ ରାଜ୍ୟକୁ ଦିଆଯାଇଛି। ସୁପ୍ରିମକୋର୍ଟ ଏହାର 2022 ଆଦେଶରେ ଦିଲ୍ଲୀ, ୟୁପି ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ସୋ ମୋଟୋ କଗ୍ନିଜେସନ୍ ଗ୍ରହଣ କରି ଘୃଣା ଭାଷଣ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’ପରେ କୋର୍ଟ ଏହି ରାଜ୍ୟମାନଙ୍କୁ କହିଥିଲେ ଯେ ଏଭଳି ମାମଲାରେ ସେମାନଙ୍କୁ କାହା ନିକଟରେ ଅଭିଯୋଗ କରିବାର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ହେଟ୍ ସ୍ପିଚ୍ ସମ୍ପୂର୍ଣ୍ଣ ବିପଜ୍ଜନକ ଓ ଟେଲିଭିଜନ ନ୍ୟୁଜରେ ଏହା ଉପରେ ନିୟନ୍ତ୍ରଣର ଅଭାବ ରହିଛି, ଏଣୁ ଦେଶରେ ମୁକ୍ତ ଓ ସନ୍ତୁଳିତ ଗଣମାଧ୍ୟମ ଆବଶ୍ୟକ ବୋଲି ପୂର୍ବରୁ କହିସାରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତ୍ତମାନ ଟିଆରପି ଦୌଡ଼ ଚାଲିଛି ଏବଂ ଟିଆରପି ଲାଗି ପରସ୍ପର ସହ ଚ୍ୟାନେଲଗୁଡ଼ିକ ପ୍ରତିଯୋଗିତା କରୁଛନ୍ତି । ଏହା ଦ୍ବାରା ସମାଜରେ ଏକ ବିଭାଜନ ସୃଷ୍ଟି ହେଉଛି । ଯଦି ଜଣେ ଆଙ୍କର ହେଟ୍ ସ୍ପିଚ ପ୍ରସାରଣ କରନ୍ତି ତେବେ ତାଙ୍କୁ କାହିଁକି ଅଫ ଏୟାର କରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ । ପ୍ରିଣ୍ଟ ମିଡିଆ ଲାଗି ପ୍ରେସ କାଉନସିଲ ଅଫ ଇଣ୍ଡିଆ ରହିଥିବାବେଳେ ନ୍ୟୁଜ ଚ୍ୟାନେଲଗୁଡ଼ିକ ଲାଗି ସେପରି କିଛି ନାହିଁ । ଯେ କୌଣସି ପରିସ୍ଥିତିରେ ନିରପେକ୍ଷ ଟିପ୍ପଣୀ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଦେଶରେ ହେଟ ସ୍ପିଚ୍ ନେଇ ଦାୟର କେତେକ ପିଟିସନର ଏକତ୍ର ଶୁଣାଣି କରିବା ଅବସରରେ ଜଷ୍ଟିସ କେ.ଏମ. ଯୋଶେଫ ଓ ଜଷ୍ଟିସ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ବିଦ୍ବେଷମୂଳକ ଟିପ୍ପଣୀ ସମ୍ପୂର୍ଣ୍ଣ ବିପଜ୍ଜନକ । ଏହା ବନ୍ଦ ହେବା ଆବଶ୍ୟକ । ମିଡିଆ ଟ୍ରାଏଲ ଆଦୌ ଗ୍ରହଣୀୟ ନୁହେଁ । ନ୍ୟୁଜ କଭରେଜ ଜରିଆରେ ଟିଆରପି ନିରୂପିତ ହେଉଥିବାରୁ ଟିଭି ଚ୍ୟାନେଲଗୁଡିକ ପରସ୍ପର ସହ ପ୍ରତିଯୋଗିତା କରୁଛନ୍ତି । ଚ୍ୟାନେଲରେ ପ୍ରସାରିତ ହେଉଥିବା ଭିଜୁଆଲ କଣ୍ଟେଣ୍ଟ କାରଣରୁ ସାମାଜିକ ବିଭାଜନ ସୃଷ୍ଟି ହେଉଛି । ଏହି ଧରଣର କଣ୍ଟେଣ୍ଟ ଦେଖିବା କ୍ଷେତ୍ରରେ ଦର୍ଶକମାନେ ବୌଦ୍ଧିକ ଭାବେ ସମୃଦ୍ଧ ହୋଇ ନଥାନ୍ତି । ଅନେକ ସମୟରେ ଆଙ୍କରମାନେ ଲାଇଭ ଡିବେଟ ସମୟରେ ଆଲୋଚ୍ୟ ବିଷୟଗୁଡିକ ପ୍ରସଙ୍ଗରେ ନିଜକୁ ଅନ୍ତର୍ଭୁକ୍ତ କରିଦେଇଥାନ୍ତି । ସେମାନେ ପ୍ୟାନେଲରେ ବସିଥିବା ଆଲୋଚକଙ୍କୁ ଚୁପ୍ କରାଇବାକୁ ଚାହିଁଥାନ୍ତି କିମ୍ବା ତାଙ୍କୁ କିଛି କହିବା ଲାଗି ସୁଯୋଗ ଦେଇନଥାନ୍ତି । ଟିଭି ଚ୍ୟାନେଲଗୁଡିକ ପ୍ରୋଗ୍ରାମିଂ କୋଡ ଉଲ୍ଲଂଘନ କରି ହେଟ୍ ସ୍ପିଚ ପ୍ରସାରଣ କରିବାକୁ ଆଗଭର ହୋଇଥାନ୍ତି । ଦେଶରେ ମୁକ୍ତ ଓ ସନ୍ତୁଳିତ ପ୍ରେସ ସମସ୍ତେ ଚାହାଁନ୍ତି । ନ୍ୟୁଜ ଆଙ୍କର କିମ୍ବା ସେମାନଙ୍କ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାର ସମାଧାନ ହୋଇପାରିବ ବୋଲି କହିଥିଲେ ଜଷ୍ଟିସ ଯୋଶେଫ ।

Leave A Reply

Your email address will not be published.