ସୁରେଶକୁ ନେଇ ଚର୍ଚ୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରକାରଙ୍କ ଭଲ କଲେ ଦଣ୍ଡ । ଠିକ୍ କହିଲେ ବାସନ୍ଦ। ଚାପରୁସି, ବୋକଚ ବୁହା କାମ କଲେ ମିଳୁଛି ସାବାସୀ। ରାଜ୍ୟ ଓ ରାଜ୍ୟବାସୀଙ୍କ ପିଠିରେ ଛୁରୀ ମାରି ପାରିଲେ ମିଳୁଛି ପୁରସ୍କାର । ଓଡ଼ିଶାର କ୍ଷତି କଲେ ସୁନା ପୁଅର ଆଖ୍ୟା ଦିଆଯାଇଛି । ସରକାର ମହତ୍ୱ ବି ବଢୁଛି । ବଡ଼ ପଦ ପଦବୀ ଦେଇ ଦେଉଛନ୍ତି । ଏକଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର କାରଣ ବୁଝୁ ବୁଝୁ ଜଣାପଡ଼ିଲା ସଦ୍ୟ ସିଏମଓ ରେ ମୁଖ୍ୟ ପରାମର୍ଶଦାତା ପଦବୀ ପାଇଥିବା ସୁରେଶ ମହାପାତ୍ରଙ୍କୁ ନେଇ ଏମିତି ଚର୍ଚ୍ଚା ଜୋର ଧରିଛି ।ସଚିବାଳୟ ହେଉ କି ବିରୋଧୀ ଦଳ କ୍ୟାମ୍ପ ବା ସରକାରୀ ଦଳର ତୃଣମୂଳ ସ୍ତରରେ ଏହି ଚର୍ଚ୍ଚା ହୋଇଛି । ସୁରେଶ ମହାପାତ୍ରଙ୍କ ପ୍ରତି ସରକାର ଏତେ ଦରଦୀ କାହିଁକି ?

ତେବେ ନିକଟରେ ନବୀନଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଥିବା ଭି. କେ. ପାଣ୍ଡିଆନ୍‌ଙ୍କ VRS ପରେ ସିଏମ୍ଓର ନବକଳେବର । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା OERCର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସେହିପରି ଆର୍. ବାଲକ୍ରିଷ୍ଣନଙ୍କ ଠାରୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ପଦବୀ ଅପସାରିତ କରାଯାଇଛି। କିନ୍ତୁ ସେ ସ୍ପେଶାଲ ଇନିସିଏଟିଭସ୍‌ର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଅନ୍ୟପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କଠାରୁ ବି ପ୍ରମୁଖ ପରାମର୍ଶଦାତା ଦାୟିତ୍ୱକୁ ଅପସାରିତ କରାଯାଇଛି। ଚର୍ଚା ହେଉଛି, ଆଗକୁ ଅସିତ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି। ଆଉ ଏପଟେ ନୂଆ ବର୍ଷରେ ରାଜ୍ୟକୁ ନୂଆ ମୁଖ୍ୟ ଶାସନ ସଚିବ ଓ ଡିଜି ପୋଲିସ୍ ମିଳିପାରେ । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ସୋସିଆଲ୍ ମିଡିଆ-ଏକ୍ସ ପୋଷ୍ଟ ।

ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି, ଗତକାଲିର ବ୍ୟୁରୋକ୍ରାଟିକ ରିସଫଲ୍ ପରେ କ’ଣ ଦୁଇ ଅଣଓଡିଆ ଅଫିସର ନୂଆ ମୁଖ୍ୟଶାସନ ସଚିବ ଓ ନୂଆ ଡିଜି ପଦବୀରେ ବସିବାର ସମ୍ଭାବନା ରହିଛି କି ? ଯଦି ଏହା ହୁଏ, ତା ହେଲେ ସ୍ୱାଧନୀତା ପରେ ଏହା ପ୍ରଥମ ହେବ । ତେବେ ଏହା ନ ହୋଇପାରେ ବୋଲି ବି ଅନୁମାନ ବି କରିଛନ୍ତି। ତେବେ ସୁରେଶ କାହିଁକି ହେଲେ ସିଏମ୍ଓର ମୁଖ୍ୟ ପରାମର୍ଶଦାତା? ସିଏମ୍ଓର ଯେ ସେ ଅତ୍ୟନ୍ତ ବିଶ୍ୱସ୍ତ ଏଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ଥିବା ବେଳେ ସୁରେଶଙ୍କର ଦୁଇ ଦୁଇ ଥର କାର୍ଯ୍ୟକାଳ ବଢାଇଥିଲେ ସରକାର। ଏହାବାଦ୍ ପାଣ୍ଡିଆନ ଆଗକୁ ସକ୍ରିୟ ରାଜନୀତିକୁ ଗଲେ ସିଏମ୍ ଓ ସମ୍ଭାଳିବାକୁ ଜଣେ ବରିଷ୍ଠ ଆଇଏଏସ୍‌ଙ୍କ ଦରକାର ଥିଲା। କିନ୍ତୁ ବିରୋଧୀ ଦକ୍ଷତା ପରିବର୍ତ୍ତେ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି।

Leave A Reply

Your email address will not be published.