ପଶ୍ଚିମ ଓଡ଼ିଶାର ୯ଟି ଜଲ୍ଲାରେ ବିଜେଡିର ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସୁଶାନ୍ତ, ନିର୍ଦ୍ଦେଶକୁ ନିଷ୍ଠାର ସହ ପାଳନ କରିବେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କିଛି ଗଣମାଧ୍ୟମରେ ତାଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ ପରିବେଷଣ କରାଯାଇଥିବାରୁ ସୁଶାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ‘ମନ୍ତ୍ରୀ ପଦ ନୁହେଁ, ସଂଗଠନ ପାଇଁ କାର୍ଯ୍ୟ କରିବାକୁ ମୁଁ ଆଗ୍ରହୀ ଥିଲି । ମୋର ଆଗ୍ରହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଶୀର୍ବାଦ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ୯ ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନିଷ୍ଠାର ସହ ପାଳନ କରିବି । ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମେ ୩୧ରୁ ଅଧିକ ଆସନ ଏବଂ ୫ ଟି ଯାକ ଲୋକସଭା ଆସନରେ ଜିତିବାକୁ ଉଦ୍ୟମ କରିବୁ’ ବୋଲି ସୁଶାନ୍ତ କହିଛନ୍ତି ।

ସୁଶାନ୍ତ କହିଛନ୍ତି ଯେ ତାଙ୍କ ବିରୋଧରେ ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି । ଗତଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିପଦରୁ ହଟାଇବାକୁ ଚାହୁଁ ନ ଥିଲେ । ମାତ୍ର ସଂଗଠନ ପାଇଁ ଅଧିକ ସମୟ ଦେବାକୁ ଆଗ୍ରହ ପ୍ରକାଶ କରି ନିଜଆଡୁ ଇସ୍ତଫା ଦେଇଥିଲେ । ଏଥର ସମ୍ପ୍ରସାରଣ ବେଳେ ସେ ମନ୍ତ୍ରିପଦ ଫେରି ପାଇବା ପାଇଁ କେବେ ବି ଚାହିଁ ନଥିଲେ । ତାହା ହୋଇଥିଲେ ୨୦ ତାରିଖରେ ଦିଲ୍ଲୀରୁ ଫେରି ସିଧା ଗାଁକୁ ଯାଇ ନଥାନ୍ତେ । ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ କିଛି ସମର୍ଥକ ଭାବାବେଗର ବଶବର୍ତ୍ତୀ ହୋଇ କିଛି କହିଥିଲେ । ମାତ୍ର ସେମାନଙ୍କୁ ବୁଝାଇ ଦେଇଛି ବୋଲି ସୁଶାନ୍ତ କହିଛନ୍ତି ।

ପଶ୍ଚିମ ଓଡ଼ିଶାରେ ୨୦୨୪ ନିର୍ବାଚନ ପାଇଁ ବିଜେଡିର ସେନାପତି ସାଜିବେ ବିଧାୟକ ସୁଶାନ୍ତ ସିଂ। ନବୀନ ନିବାସରେ ହେଉ କି ଶଙ୍ଖ ଭବନରେ, ପଶ୍ଚିମଓଡ଼ିଶାରେ ୨୦୨୪ ପାଇଁ ବ୍ଲ୍‌ୁପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେଡି। କିନ୍ତୁ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବେ ଭେଟେରାନ୍‌ ସୁଶାନ୍ତ ସିଂ। ଗତକାଲି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ। ଆଉ ଆଜି ଶଙ୍ଖ ଭବନରେ ସଙ୍ଗଠନ ସମ୍ପାଦକଙ୍କ ସହ ବିସ୍ତୃତ ଆଲୋଚନାରୁ ସ୍ପଷ୍ଟ ଆଭାସ ମିଳିଛି। ପଶ୍ଚିମ ଓଡ଼ିଶାର ୯ଟି ଜଲ୍ଲାରେ ବିଜେଡିର ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସୁଶାନ୍ତ। କେବଳ ସୁନ୍ଦରଗଡକୁ ବାଦ୍‌ ଦେଲେ ବାକି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବୁଝିବେ ସୁଶାନ୍ତ ସିଂ। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ବିଧାନସଭା ଆସନ ସଂଖ୍ୟା ରହିଛି ୩୫ ଏବଂ ଲୋକସଭା ଆସନ ରହିଛି ୫। ଗତ ୨୦୧୯ ସାଧାରଣ ନିର୍ବାଚନରେ ୩୫ ବିଧାନସଭା ଆସନରୁ ୨୨ଟି ହାତେଇଥିଲା ବିଜେଡି। କିନ୍ତୁ ଲୋକସଭା ଆସନ ୫ରୁ ୫ ହରେଇବାକୁ ପଡ଼ିଥିଲା। କିନ୍ତୁ ଏଥର ସୁଶାନ୍ତ ସିଂ ଦମ୍ଭୋକ୍ତି ବାଢିଛନ୍ତି, ୨୦୨୪ରେ ୩୫ରୁ ୩୧ ବିଧାନସଭା ଏବଂ ୫ ରୁ ୫ ଲୋକସଭା ଆସନ ବିଜେଡି ହାତେଇବ।

Leave A Reply

Your email address will not be published.