ପରଲୋକରେ ଅମୁଲ୍ ଗାର୍ଲର ସ୍ରଷ୍ଟା ସିଲଭେଷ୍ଟର ଦାକୁହ୍ନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପରଲୋକରେ ଅମୁଲ୍ ଗାର୍ଲର ସ୍ରଷ୍ଟା ସିଲଭେଷ୍ଟର ଦାକୁହ୍ନା । ସବୁବେଳେ ହସ-ହସ ମୁହଁରେ ଅମୁଲର ବାର୍ତା ଦେଉଥିବା କୁନି ଝିଅ ନିଜର ସ୍ରଷ୍ଟାକୁ ହରାଇଛି । ଅମୁଲ ଗାର୍ଲର ସ୍ରଷ୍ଟା, ଯିଏ ଏହି କୁନି ଝିଅର କଳ୍ପନା କରିଥିଲେ, ନିଜ ହାତରେ ଗଢ଼ିଥିଲେ ଏବଂ ଘରେ ଘରେ ପହଂଚାଇଥିଲେ, ସେ ଆଉ ନାହାଁନ୍ତି । ବିଜ୍ଞାପନ ଦୁନିଆର ଅନ୍ୟତମ ପ୍ରଖ୍ୟାତ ବ୍ୟକ୍ତିତ୍ୱ ସିଲଭେଷ୍ଟର ଦାକୁହ୍ନାଙ୍କ ଦେହାନ୍ତ ହୋଇଯାଇଛି । ଅର୍ଟରର୍ଲି-ବର୍ଟରର୍ଲି କ୍ୟାମ୍ପେନର ମୁଖ୍ୟ ପୁରୋଧା ସିଲଭେଷ୍ଟରଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୬୬ ମସିହାରେ ‘ମିଲ୍ଡ ପ୍ରଡକ୍ଟ’ ବା ଦୁଗ୍ଧ ଜାତ ଦ୍ରବ୍ୟର ବିଜ୍ଞାପନର ପରିକଳ୍ପନା କରୁଥିଲେ ସିଲଭେଷ୍ଟର । ସେତେବେଳେ ଏଭଳି ଏକ କୁନି ଝିଅର ଚିତ୍ର ସାମ୍ନାକୁ ଆଣିଥିଲେ, ଯାହା କୋଟି କୋଟି ମା’ ଏବଂ ଶିଶୁଙ୍କୁ ପ୍ରଭାବିତ କରିଥିଲା । ନାଁ ରଖାଯାଇଥିଲା- ଅମୁଲ୍ ଗାର୍ଲ । ଏହି ବିଜ୍ଞାପନର ୱାନଲାଇନର୍ ବା ମନଛୁଆଁ ଧାଡ଼ିଟି ଲେଖିଥିଲେ ଏହି ବିଜ୍ଞାପନ ଗୁରୁ । ଅର୍ଟରଲି-ବର୍ଟରଲି ଅମୁଲ । ଯାହା ଭାରତରେ ଘରେ ଘରେ ପହଂଚିଯାଇଥିଲା ।

ଭାରତର ଏମିତି ବଡ଼ ବଡ଼ ଚରିତ୍ର ବା ଘଟଣା ନଥିଲା, ଯାହାକୁ ସ୍ପର୍ଶ କରୁନଥିଲା ଅମୁଲ ବିଜ୍ଞାପନ । ମନେପକାନ୍ତୁ ଯେତେବେଳେ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଉଥିଲେ, ସେତେବେଳେ ଆସିଥିଲା ଅମୁଲ ମାଷ୍ଟର ବର୍ଟର ବିଜ୍ଞାପନ । ଏଥିରେ ଲେଖାଥିଲା ଇଣ୍ଡିଆ ରିଟାୟଡ୍ ହଟ୍ ହୋଇଗଲା । ରିଚାର୍ଡ ଗେରେ ଯେତେବେଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କୁ ଚୁମ୍ବନ ଦେଇଥିଲେ, ସେତେବେଳେ କିସ୍ କିସ୍ ପର କେସ୍ ନାଁରେ ଅମୁଲ୍ ପୋଷ୍ଟର ଆସିଥିଲା । ୨୦୧୮ ମସିହାରେ ଲୋକସଭା ଭିତରେ ଯେତେବେଳେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍କନ କରିଥିଲେ, ସେତେବେଳେ ଏକ କୌତୁହଳପୂର୍ଣ୍ଣ ବିଜ୍ଞାପନ ସାମ୍ନାକୁ ଆସିଥିଲା ଅମୁଲ୍ ।

Leave A Reply

Your email address will not be published.